fbpx

Playing-11ରେ ହେବ କି ପରିବର୍ତ୍ତନ? ୨ ଖେଳାଳିଙ୍କୁ ଦଳରୁ ବାଦ୍ ଦେବେ ରୋହିତ, ଫେରିବେ ସଞ୍ଜୁ

ନୂଆଦିଲ୍ଲୀ: ଆଜି ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ଆମେରିକା । ନ୍ୟୁୟର୍କର ନସାଉ କାଉଣ୍ଟି ଇଣ୍ଟରନେସନାଲ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଉଭୟ ଦେଶ ମଧ୍ୟରେ ପ୍ରଥମ ଥର କୌଣସି ଇଣ୍ଟରନେସନାଲ ମ୍ୟାଚ ଖେଳିବାକୁ ଯାଉଛି । ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଏବଂ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଆଜି ଉଭୟ ଦଳ ମଧ୍ୟରେ ମ୍ୟାଚ ହେବାକୁ ଥିବା ବେଳେ ଟିମ ଇଣ୍ଡିଆ ଆଜି ଦଳରେ ପରିବର୍ତ୍ତନ କରିପାରେ । ଆମେରିକା ପାଇଁ ଏକ ନୂଆ ଟିମ୍ ସହ ମଇଦାନକୁ ଓହ୍ଲାଇପାରନ୍ତି ରୋହିତ ଶର୍ମା ।

ବର୍ତ୍ତମାନ ପର୍ଯ୍ୟନ୍ତ ୨ଟି ମ୍ୟାଚରେ ଫେଲ ମାରିଥିବା ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଏବଂ ଶିବମ ଦୁବେଙ୍କୁ ଦଳରୁ ବାଦ୍ ଦେଇ ସଞ୍ଜୁ ସାମସନଙ୍କୁ ସୁଯୋଗ ଦେବା ପାଇଁ ଚିନ୍ତା କରିବେ କି ରୋହିତ? ତେବେ ଏହି ପ୍ରଶ୍ନ ଉତ୍ତର ସମ୍ଭବତଃ ‘ନା’ ହିଁ ହୋଇପାରେ । କାରଣ ବଡ଼ ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆ ବିଶେଷ ପରିବର୍ତ୍ତନ କରେ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ୨ଟି ମ୍ୟାଚରୁ ମାତ୍ର ୯ ରନ୍ କରିଛନ୍ତି ସୂର୍ଯ୍ୟକୁମାର ଯାଦବ । ସେହିପରି ଆଇପିଏଲରେ ଚେନ୍ନାଇର ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ମଧ୍ୟ ବିଶେଷ ପ୍ରଦର୍ଶନ କରିବାରେ ଫେଲ ହୋଇଛନ୍ତି । ଉଭୟ ମ୍ୟାଚରୁ ମାତ୍ର ୩ ରନ୍ କରିଛନ୍ତି ଶିବମ୍ । ତେବେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏହି ୨ଜଣଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନବାଚୀ ରହିଛି । ତେଣୁ ଦଳରେ ଏହି ଦୁହିଁଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଦଳରେ ସୁଯୋଗ ଦେବା ଉଚିତ୍ ବୋଲି ଦାବି ହୋଇଛି ।

ବିଶ୍ୱକପ ପୂର୍ବରୁ ଆମେରିକାକୁ ଏକ ଦୁର୍ବଳ ଟିମ୍ ବୋଲି ବିବେଚନା କରାଯାଉଥିବା ବେଳେ ଦଳ ବର୍ତ୍ତମାନ ଗ୍ରୁପରେ ଭାରତ ପରେ ଦ୍ୱିତୀୟ ସ୍ଥାନରେ ରହିଛି । ଜୁନ୍ ୬ ତାରିଖରେ ପାକିସ୍ତାନକୁ ସୁପର ଓଭର ମ୍ୟାଚରେ ପରାସ୍ତ କରି ଦଳ ନିଜର ଶକ୍ତି ଦେଖାଇଛି । ତେବେ ଏହି ବିଜୟକୁ ଦୃଷ୍ଟିରେ ରଖି ଟିମ ଇଣ୍ଡିଆ ମଧ୍ୟ ଆମେରିକାକୁ ଦୁର୍ବଳ ବୋଲି ଭାବିବାର ଦୁଃସାହସ କରିବ ନାହିଁ । ମୋନାଙ୍କ ପଟେଲଙ୍କ ନେତୃତ୍ୱରେ ଆମେରିକା ଭାରତ ପାଇଁ ଚିନ୍ତା ବଢାଇପାରେ । ତେଣୁ ଦଳର ପ୍ଲେଇଙ୍ଗ-୧୧କୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

ଆମେରିକା ବିପକ୍ଷରେ ଭାରତର ସମ୍ଭାବ୍ୟ ପ୍ଲେଇଙ୍ଗ-୧୧: ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଢ୍ୟା, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ଜଶପ୍ରୀତ ବୁମରାହ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ

Get real time updates directly on you device, subscribe now.