fbpx

(Video) ହଠାତ୍ କାହିଁକି ବଦଳିଲା ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି: ଖୋଲିଥିଲେ ହୋଇଥାନ୍ତା ବଡ଼ ଅଘଟଣ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁଲାଇ ୮ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ପ୍ରଥମେ କୁହାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଏନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟ କରିଥିଲେ । ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ମନ୍ତ୍ରୀ କହିଥିଲେ । ଏ ସମ୍ପର୍କରେ ଛତିଶା ନିଯୋଗ ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇ ନଥିବା ନେଇ ଶ୍ରୀ ହରିଚନ୍ଦନ କହିଥିଲେ ।

ତେବେ ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଲୋକଙ୍କ ମଧ୍ୟରେ ନାନା ପ୍ରକାରର ଆଶଙ୍କା ଦୃଢ଼ୀଭୂତ ହେଉଥିବା ବେଳେ ଏହାକୁ ଖୋଲିଥିଲେ କ’ଣ ହୋଇଥାନ୍ତା ସେନେଇ ମଧ୍ୟ ଆଲୋଚନା ହେଉଛି । କାହିଁ କେତେ ପୁରାଣ ଯୁଗରୁ ରତ୍ନ ଭଣ୍ଡାରୁ ନେଇ ଅନେକ ବିଶ୍ୱାସ ରହିଆସିଛି । ଏପରିକି ‘ଶ୍ରୀମନ୍ଦିରର ରତ୍ନଭଣ୍ଡାରକୁ ସପ୍ତଫେଣୀ ନାଗ ଜଗି ରହିଛି, ଭିତରୁ ସୁ ସୁ ଗର୍ଜନ ଶୁଭୁଛି’ ବୋଲି ଲୋକମୁଖରୁ ଶୁଣାଯାଇଥାଏ । ଏହି ପୌରାଣିକ କଥାକୁ ଆଜି ବି ଭକ୍ତଙ୍କ ମନରେ ଆଶଙ୍କା ସୃଷ୍ଟି କରିଥାଏ ।

ଶୁଣିବାକୁ ମିଳେ, ମହାପ୍ରଭୁଙ୍କ ରତ୍ନ ଭଣ୍ଡାରକୁ ସପ୍ତଫେଣୀ ନାଗ ଜଗି ରହିଛି । ପ୍ରକୃତ କଥା ହେଉଛି ଶ୍ରୀମନ୍ଦିରର ବାହାରଟା ଦେଖିବାକୁ ଯେତିକି ସୁନ୍ଦର, ତା’ର ଭିତର ସେତିକି ରହସ୍ୟମୟ । ରତ୍ନ ଭଣ୍ଡାରକୁ ଶ୍ରୀ ଲୋକନାଥଙ୍କ ଚଳନ୍ତି ପ୍ରତିମା ଜଗି ରହିଥିବା କୁହାଯାଏ । ସପ୍ତଫେଣୀ ନାଗ ଜଗି ରହିବା କାରଣରୁ ରତ୍ନ ଭଣ୍ଡାର ସୁରକ୍ଷିତ ରହିଥିବା କୁହାଯାଏ । ତେଣୁ ରତ୍ନ ଭଣ୍ଡାର ଖୋଲିବା ପୂର୍ବରୁ ସେଠାରେ ସାପ ଅଛନ୍ତି କି ନା ସେନେଇ ଏବେ କୌତୁହଳ ସୃଷ୍ଟି ହୋଇଛି । ସେହିପରି ଆଉ ଏକ ବିଶାଳ ସପ୍ତଫେଣୀ ନାଗ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଉପରେ ତୀକ୍ଷ୍ଣ ନଜର ରଖିଥାନ୍ତି ବୋଲି ମଧ୍ୟ କୁହାଯାଇଥାଏ ।

କୁହାଯାଏ, ବିଭିନ୍ନ ସମୟରେ ରତ୍ନ ଭଣ୍ଡାର ଖୋଲିବାକୁ ପ୍ରୟାସ କରିବା ସମୟରେ ବିଷଧର ସର୍ପଙ୍କ ସୁ ସୁ ଗର୍ଜନ ଶୁଣାଯାଏ । ଦେଶ ପରାଧୀନ ଥିବା ସମୟରେ ଇଠରେଜ ଜିଲ୍ଲାପାଳ ଶ୍ରୀମନ୍ଦିର ଭିତରେ ଥିବା ରତ୍ନ ଭଣ୍ଡାର ଖୋଲିବାକୁ ପ୍ରୟାସ କରିଥିବା କଥା ମଧ୍ୟ ଶୁଣାଯାଏ । ମାତ୍ର ରାତିରେ ଶୋଇଥିବା ସମୟରେ ସେ ବିକଟାଳ ଶବ୍ଦ ଶୁଣିଥିଲେ । ଏପରିକି ସପ୍ତଫେଣୀ ନାଗ ତାଙ୍କୁ ଦଂଶନ କରିବାକୁ ଗୋଡ଼ାଇ ଆସିଥିବା ମଧ୍ୟ କୁହାଯାଏ । ଏହାପରେ ଭୟଙ୍କରେ ଇଂରେଜ ଅଫିସର ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟରୁ ବିରତ ରହିଥିଲେ ଓ ମହାପ୍ରଭୁଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଥିଲେ । ଉକ୍ତ ଘଟଣା ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ସପ୍ତଫେଣୀ ନାଗ ଜଗି ରହିଥିବା ନେଇ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମିଥିଲା । ଏପରି ଭାବେ ରତ୍ନ ଭଣ୍ଡାରକୁ ନେଇ ଅନେକ ଅଲୌକିକ କାହାଣୀ ସବୁ ରହିଛି ।

ଏହା ମଧ୍ୟରେ ବର୍ଷ ବର୍ଷ ସମୟ ଅତିକ୍ରାନ୍ତ ହୋଇ ସାରିଛି । ବହୁ ବର୍ଷ ଧରି ଗୃହ ବନ୍ଦ ରହିଥିବା ବେଳେ ଅନ୍ଧାର ଘରୁ ସାପ ବାହାରିଥିବା କିଛି ଅସମ୍ଭବ କଥା ନୁହେଁ । ତେଣୁ ସେହି ଆଶଙ୍କାରେ ହୁଏତ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ହୋଇପାରୁ ନଥାଇପାରେ । ଆଜି ବିଜ୍ଞାନ ବହୁଳ ଭାବେ ଅଗ୍ରଗତି କରିଥିଲେ ହେଁ ଶ୍ରୀମନ୍ଦିରର ରହସ୍ୟକୁ କେହି ଉନ୍ମୋଚନ କରିବାକୁ ସକ୍ଷମ ହୋଇ ନାହାନ୍ତି । ରତ୍ନ ଭଣ୍ଡାର ଖୋଲିବା ସମୟ ଯେତିକି ପାଖେଇ ଆସୁଛି, ଲୋକଙ୍କ ମଧ୍ୟରେ ସେନେଇ ଉତ୍ସାହ ଓ କୌତୁହଳ ସେତିକି ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.