fbpx

ଦ୍ରାବିଡ କି ଗମ୍ଭୀର ନୁହେଁ… ଟିମ ଇଣ୍ଡିଆର ବିଦେଶ ଗସ୍ତରେ କିଏ ହେବେ କୋଚ୍? ବିଶ୍ୱକପ୍ ପରେ ସିରିଜ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପରେ ବିଦେଶ ଗସ୍ତରେ ଯିବ ଟିମ ଇଣ୍ଡିଆ । ତେବେ ବିଶ୍ୱକପରେ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ନୂଆ କୋଚ୍ ଖୋଜିବ ଭାରତୀୟ ଟିମ୍ । ବର୍ତ୍ତମାନ ସୁଦ୍ଧା ନୂଆ କୋଚ୍ ପଦବୀ କିଏ ନେବେ ସେ ନେଇ ଘୋଷଣା ହୋଇ ନଥିବା ବେଳେ ଗମ୍ଭୀରଙ୍କ ନାଁ ଖୁବ ଆଗରେ ରହିଛି । କିନ୍ତୁ ବିଶ୍ୱକପ ପରେ ହେବାକୁ ଥିବା ବିଦେଶ ଗସ୍ତରେ ତାଙ୍କୁ ଦାୟିତ୍ୱ ଦିଆଯିବ ନାହିଁ । ଅର୍ଥାତ୍ ଦ୍ରାବିଡ ଏବଂ ଗମ୍ଭୀରଙ୍କ ବିନା ଟିମ ଇଣ୍ଡିଆ ଏହି ସିରିଜ ଖେଳିବ । ତେବେ କୋଚ୍ ଦାୟିତ୍ୱ ନେବେ କିଏ?

ଟି-୨୦ ବିଶ୍ୱକପ ପରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଜିମ୍ବାୱେ ଗସ୍ତ କରିବ ଟିମ ଇଣ୍ଡିଆ । ଏଥିରେ ରାହୁଲ ଦ୍ରାବିଡ କିମ୍ବା ଗୌତମ ଗମ୍ଭୀର ଟିମ ଇଣ୍ଡିଆର କୋଚ୍ ଭାବରେ ସାମିଲ ହେବେ ନାହିଁ । ଦ୍ରାବିଡଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ମଣ ଏବଂ ତାଙ୍କ ସହ ଏନସିଏରେ କାର୍ଯ୍ୟରତ ଷ୍ଟାଫ ଏହି ସିରିଜ ପାଇଁ ଭାରତୀୟ ଦଳ ସହ ଜିମ୍ବାୱେ ଗସ୍ତ କରିବେ । ଚଳିତ ସପ୍ତାହର ଶେଷ ଆଡ଼କୁ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା ହୋଇପାରେ । ତେବେ ଏହି ସିଜ ପାଇଁ ଦଳର ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇ ଆଇପିଏଲର ଷ୍ଟାର ଖେଳାଳିଙ୍କୁ ସୁଯୋଗ ଦେଇପାରେ ଚୟନ କମିଟି । ତେଣୁ ଏହି ଦଳରେ ଲକ୍ଷ୍ମଣ ଏବଂ ତାଙ୍କ ସହଯୋଗୀ ଷ୍ଟାଫ କୋଚ୍ ପଦବୀରେ ଜିମ୍ବାୱେ ଯାତ୍ରା କରିପାରନ୍ତି ।

ତେବେ ଦ୍ରାବିଡଙ୍କ କାର୍ଯ୍ୟକାଳ ସମୟରେ ସେ ବିଶ୍ରାମ ନେଲେ, ଲକ୍ଷ୍ମଣ ଭାରତୀୟ ଦଳର କୋଚ୍ ଭାବରେ ଦଳ ସହ ଗସ୍ତ କରୁଥିଲେ । ତେଣୁ ନବନିଯୁକ୍ତ କୋଚ୍ ଦାରେ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ(ଜିମ୍ବାୱେ ସିରିଜ) ଲକ୍ଷ୍ମଣ ପୁଣିଥରେ ସେହି ଭୂମିକା ତୁଲାଇପାରନ୍ତି । ଏହି ସିରିଜ ପରେ ଶ୍ରୀଲଙ୍କା ବିପକ୍ଷ ସିରିଜରୁ କୋଚ୍ ଭାବରେ ନିଜର କାର୍ଯ୍ୟକାଳ ଆରମ୍ଭ କରିପାରନ୍ତି ନବନିଯୁକ୍ତ କୋଚ୍ । ତେବେ ଏହି ଦୌଡ଼ରେ ଖୁବ ଆଗରେ ରହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଶ୍ରୀଲଙ୍କା ବିପକ୍ଷରେ ଟିମ ଇଣ୍ଡିଆ ୩ଟି ଲେଖାଏଁ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳିବ ।

Get real time updates directly on you device, subscribe now.