fbpx

India Post SMS Scam Alert ! ଫେକ୍ ମେସେଜଠାରୁ ଦୂରେଇ ରହିବାକୁ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ ଅଲଗା ଅଲଗା ପ୍ରକାରର ଫ୍ରଡ ହେଉଥିବା ଦେଖାଯାଉଛି । ଠକମାନେ ବିଭିନ୍ନ ସରକାରୀ ସଂସ୍ଥାର ନାମକୁ ବ୍ୟବହାର କରି ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଠକାମି ଖବର ସାମ୍ନାକୁ ଆସିଛି । ଇଣ୍ଡିଆ ପୋଷ୍ଟ ନାମରେ ଠକେଇ କରାଯିବା ସହିତ ଅନେକ ଲୋକ ଏହା ମାଧ୍ୟମରେ ଶିକାର ହୋଇଥିବା ଜଣାପଡ଼ିଛି । ଇଣ୍ଡିଆ ପୋଷ୍ଟ ନାମରେ ଲୋକଙ୍କ ପାଖକୁ ପ୍ରଥମେ ଏକ ମେସେଜ୍ ଆସୁଛି । ଉକ୍ତ ମେସେଜରେ ଏକ ୱେବ ଲିଙ୍କ ମଧ୍ୟ ଶେୟାର କରାଯାଉଛି । ପାର୍ସଲକୁ ଡେଲିଭରି କରିବା ପାଇଁ ୪୮ ଘଣ୍ଟା ଭିତରେ ଆଡ୍ରେସ ଦେବାକୁ ଉକ୍ତ ମେସେଜରେ ଲୋକଙ୍କୁ କୁହାଯାଉଛି ।

ଇଣ୍ଡିଆ ପୋଷ୍ଟ ନାମରେ ଲୋକଙ୍କ ପାଖକୁ ଆସୁଥିବା ଏହି ଫେକ୍ ମେସେଜକୁ ନେଇ ସରକାରଙ୍କ ତରଫରୁ ଚେତାବନୀ ଜାରି କରାଯାଇଛି । ଏନେଇ ପ୍ରେସ୍ ଇନଫର୍ମେସେନ ବ୍ୟୁରୋ (ପିଆଇବି) ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରାଯାଇ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଏହି ଫେକ୍ ମେସେଜରେ ଆସୁଥିବା ଲିଙ୍କ ଉପରେ କ୍ଲିକ କରିବା ଫଳରେ ଲୋକଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି । ତେଣୁ ଏହି ମେସେଜ ଆସୁଥିଲେ ସାବଧାନ ରହିବାକୁ କୁହାଯାଇଛି ।

ଲିଙ୍କରେ କ୍ଲିକ କରି ଆଡ୍ରେସ ଅପଡେଟ୍ କରିବାକୁ ଉକ୍ତ ମେସେଜରେ କୁହାଯାଉଛି । ଉକ୍ତ ଲିଙ୍କ ମାଧ୍ୟମରେ ଲୋକଙ୍କ ଫୋନରେ ମାଲୱେୟର ପ୍ରବେଶ କରାଇବାକୁ ପ୍ରୟାସ କରାଯାଉଛି । ଲୋକଙ୍କ ଠାରୁ ପ୍ରାଇଭେଟ ତଥ୍ୟ ହଡ଼ପ କରାଯାଇ ଉକ୍ତ ଡାଟା ଆଧାରରେ ଲୋକଙ୍କ ସହିତ ଫ୍ରଡ କରାଯାଉଛି । ତେଣୁ ଏନେଇ ସାବଧାନ ରହିବାକୁ ପିଆଇବିର ଫ୍ୟାକ୍ଟ ଚେକ ଟିମ୍ ପକ୍ଷରୁ ଏକ୍ସ’ରେ ପୋଷ୍ଟ ଶେୟାର କରି ଏହି ସ୍କାମ ବାବଦରେ ସୂଚନା ଦିଆଯାଇଛି । ଇଣ୍ଡିଆ ପୋଷ୍ଟ ଏଭଳି ମେସେଜ ପଠାଏ ନାହିଁ ବୋଲି ପିଆଇବି ପକ୍ଷରୁ କୁହାଯାଇଛି । ଯଦି ଆପଣଙ୍କ ପାଖକୁ ଏପରି ମେସେଜ ଆସିଛି ତେବେ ସେଥିରେ ଥିବା ଲିଙ୍କରେ କଦାପି ଲିଙ୍କ କରନ୍ତୁ ନାହିଁ । ଉକ୍ତ ମେସେଜକୁ ଡିଲିଟ କରିଦେବାକୁ କୁହାଯାଇଛି । ତାହା ଏକ ଫର୍ଜି ମେସେଜ ଓ ତା’ ମାଧ୍ୟମରେ ଲୋକଙ୍କୁ ଫ୍ରଡର ଶିକାର କରାଯାଉଥିବା କୁହାଯାଇଛି ।

Get real time updates directly on you device, subscribe now.