fbpx

ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ କେପି ଶର୍ମା ଓଲି, ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଆଜି ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ ୪ର୍ଥ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି କେପି ଶର୍ମା ଓଲି । ନେପାଳର ସବୁଠାରୁ ବଡ଼ କମ୍ୟୁନିଷ୍ଟ ପାର୍ଟିର ନେତା ଓଲିଙ୍କୁ ରବିବାର ଦେଶର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଦୁଇ ଦେଶ ମଧ୍ୟରେ ବନ୍ଧୁତାକୁ ଆହୁରି ମଜବୁତ କରିବା ପାଇଁ ଓଲିଙ୍କ ସହ ମିଶି କାମ କରିବାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତାକୁ ଆହୁରି ଦୃଢ଼ କରିବା ପାଇଁ ଲୋକଙ୍କ ପ୍ରଗତି ଓ ସମୃଦ୍ଧି ପାଇଁ ପାରସ୍ପରିକ ସହଯୋଗକୁ ବିସ୍ତାରିତ କରିବା ପାଇଁ ମିଶିକି କାର୍ଯ୍ୟ କରିବା ପାଇଁ ତତ୍ପର ଅଛୁ ।’ ଓଲି ପୁଷ୍ପ ସିଂହ ଦହଲଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି । ଶୁକ୍ରବାର ସଂସଦରେ ପୁଷ୍ପ ସିଂହ ଦହଲ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହେବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ସେ ରାଷ୍ଟ୍ରପତିଙ୍କୁ ନୂତନ ସରକାର ଗଠନ କରିବା ନେଇ ଆମନ୍ତ୍ରିତ କରିଥିଲେ । ସରକାର ଗଠନ ପାଇଁ ଓଲି ୧୬୫ ସଦସ୍ୟଙ୍କ ହସ୍ତାକ୍ଷର ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରିଥିଲେ । ଏହା ପରେ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ ପାଇଁ ଅନୁମୋଦନ ଦେଇଥିଲେ । ଏହି ୧୬୫ ସଦସ୍ୟଙ୍କ ମଧ୍ୟରୁ ୭୭ ସଦସ୍ୟ ଓଲି ପାର୍ଟି(CPN-UML)ରୁ ଥିବା ବେଳେ ୮୮ ଜଣ ସଦସ୍ୟ ନେପାଳି କଂଗ୍ରେସର ଥିଲେ । କହିରଖୁଛୁ ଏହା ପୂର୍ବରୁ କେପି ଶର୍ମା ଓଲି ପ୍ରଥମ ଥର ପାଇଁ ୨୦୧୫ରେ ତା ପରେ ୨୦୧୬ ଏବଂ ୨୦୨୧ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

Get real time updates directly on you device, subscribe now.