NASA ଦେଲା ବଡ଼ ଅପଡେଟ୍… ମଙ୍ଗଳ ଚଟାଣ ଭିତରୁ ବାହାରିଲା ଅଜବ ପଦାର୍ଥ: ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଘୁରି ବୁଲୁଛି ନାସାର କ୍ୟୁରିଓସିଟି ରୋଭର । ଘୁରି ବୁଲିବା ଭିତରେ ମଙ୍ଗଳ ଗ୍ରହର ଚଟାଣ ଭିତରୁ ଏକ ଅଜବ ପଦାର୍ଥ ବାହାର କରିଥିବା ନାସା ତରଫରୁ ସୂଚନା ଦିଆଯାଇଛି । ଏହାକୁ ଦେଖି ନାସା ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମଙ୍ଗଳ ଗ୍ରହରେ ପ୍ରଥମ ଥର ଏଭଳି ଜିନିଷ ଦେଖିବାକୁ ମିଳିଛି । ମଙ୍ଗଳ ଗ୍ରହରେ ବିଚରଣ କରିବା ବେଳେ ହଠାତ୍ ଭୁଲବଶତଃ ଏହାର ଚଟାଣକୁ ଭାଙ୍ଗି ଦେଇଥିଲା ନାସାର କ୍ୟୁରିଓସିଟି ରୋଭର(Curiosity Rover) । ଏହାପରେ ଚଟାଣ ଭିତରୁ ଏଭଳି ଜିନିଷ ନିର୍ଗତ ହୋଇଥିବା ଦେଖାଯାଇଛି ।

Curiosity Rover ମଙ୍ଗଳ ଗ୍ରହକୁ ପଠା ଯାଇଥିବା ଏକ ଚଳନ୍ତା ପ୍ରୟୋଗଶାଳା । ଏହାର ଓଜନ ପ୍ରାୟ ୮୯୯ କିଲୋଗ୍ରାମ ହୋଇଥିବା ବେଳେ ମଙ୍ଗଳ ଗ୍ରହରେ ଏହା ଦମ୍ଭର ସହ ଆଗେଇ ଚାଲିଛି । ଗତ ମେ’ ମାସରେ ନାସାର ଏହି ରୋଭର ଏକ ବଡ଼ ଆବିଷ୍କାର କରିଛି । ମଙ୍ଗଳ ଗ୍ରହର ଚଟାଣରେ ବିଚରଣ କରୁଥିବା ସମୟରେ ଏକ ଚଟାଣ ଅଚାନକ ଭାଙ୍ଗି ଯାଇଥିଲା । ତେବେ ରୋଭର ଆଘାତରେ ଗେଡିଜ୍ ୱାଲିସ ଚାନେଲ ଭାଙ୍ଗିବା ପରେ ଏକ ଅଦ୍ଭୁତ ନଜାରା ଦେଖିବାକୁ ମିଳିଛି । ମଙ୍ଗଳ ଗ୍ରହରେ ଏଭଳି ଅନେକ ଚଟାଣରେ ଭରି ରହିଛି ଗେଡିଜ୍ ୱାଲିସ ଚାନେଲ ।

ତେବେ କ୍ୟୁରିଓସିଟିର ଏହି ଆବିଷ୍କାର ପରେ ଏଥିରୁ ସଂକେତ ମିଳିଛି ଯେ, ମଙ୍ଗଳ ଗ୍ରହର ଅନେକ ସ୍ଥାନରେ ସଲଫର ଶୁଦ୍ଧ ତତ୍ତ୍ୱରେ ବହୁଳ ପରିମାଣରେ ମହଜୁଦ ରହିଛି । ନାସାର ଜେଟ ପ୍ରପଲସନ୍ ଲାବୋରେଟୋରୀରେ କ୍ୟୁରିଓସିଟି ପ୍ରୋଜେକ୍ଟର ବୈଜ୍ଞାନିକ ଅଶ୍ୱୀନ ଶୁଦ୍ଧ ସଲଫରରେ ପ୍ରସ୍ତୁତ ଇଲାକା ଖୋଜିବା ଏକ ପ୍ରକାରର ଅସମ୍ଭବ ବୋଲି ଦର୍ଶାଇଛନ୍ତି ।

ସଲଫର, ସାଧାରଣତଃ ଯୌଗିକ ରୂପରେ ପାଣିରେ ଅନ୍ୟ ଖଣିଜ ସହ ମିଶ୍ରଣ ହେଲେ, ଏହି ଲବଣରୁ ସଲଫର ପ୍ରସ୍ତୁତ ହୋଇଥାଏ । ଏଥିରୁ ପାଣି ବାଷ୍ପ ହୋଇଯିବା ପରେ ଉପସ୍ଥିତ ଖଣିଜ ମିଶ୍ରିତ ହୋଇ ଶୁଖିଯାଆନ୍ତି ଏବଂ ସଲଫେଟ ବାକି ରହିଥାଏ । ଏହି ସଲଫେଟ ଖଣିଜ ମଙ୍ଗଳ ଗ୍ରହ ବିଷୟରେ ଅନେକ କିଛି କାହାଣୀ କହିପାରେ ।