fbpx

RAU’s ଏକାଡେମୀରେ ୩ ଛାତ୍ରଙ୍କ ମୃତ୍ୟୁ… ଏବେ ସିବିଆଇ କରିବ ଛାନଭିନ୍: ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ଓଲ୍ଡ ରାଜେନ୍ଦ୍ର ନଗରର ରାଓ ଆଇଏଏସ ଏକାଡେମୀରେ ୩ ଜଣ ଛାତ୍ରଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ମାମଲାକୁ ନେଇ ଏବେ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରମୃତ୍ୟୁ ଘଟଣାରେ ଏବେ ସିବିଆଇକୁ ତଦନ୍ତ ଭାର ପ୍ରଦାନ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଦିଲ୍ଲୀ ପୋଲିସର ଅବହେଳାକୁ ନଜରରେ ରଖି ହାଇକୋର୍ଟ ଏଭଳି ଏକ ପଦକ୍ଷେପ ନେଇଛନ୍ତି । ସେଣ୍ଟ୍ରାଲ ଭିଜିଳାନ୍ସ କମିଶନ୍(ସିଭିସି)ର ନେତୃତ୍ୱରେ ସିବିଆଇ ରାଓ ଏକାଡେମୀ ମାମଲାର ତଦନ୍ତ କରିବ ବୋଲି କୁହାଯାଇଛି ।

ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟବାହକ ମୁଖ୍ୟ ଜଷ୍ଟିସ ମନମୋହନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଅଦାଲତ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରୁଛି । ଏହି ମାମଲାରେ ଅନେକ ବଡ଼ ବଡ଼ ଅଧିକାରୀ ମଧ୍ୟ ସାମିଲ ହୋଇପାରନ୍ତି, ତେଣୁ ଏହାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଉଚ୍ଚ ନ୍ୟାୟାଳୟ । କୋର୍ଟ କହିଛନ୍ତି ଯେ, କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି)ଙ୍କୁ ନିଦ୍ଦେଶ ଦିଆଯାଇଛି ଯେ, ସେ ସିବିଆଇର ଯାଞ୍ଚ ଉପରେ କଡ଼ା ନଜର ରଖିବା ପାଇଁ ଜଣେ ବରିଷ୍ଠ ଅଧିକାରୀ ନିଯୁକ୍ତ କରନ୍ତୁ ଏବଂ ସମୟବଦ୍ଧ ଉପାୟରେ ତଦନ୍ତ ଶେଷ ହେଉ ।

ସ୍ଥାନୀୟ ଅଞ୍ଚଳରୁ ଅତିକ୍ରମଣ ହଟାଇବା ପାଇଁ ଏମସିଡି କମିଶନରଙ୍କୁ ଆଦେଶ ଦିଆଯିବା ସହ ଡ୍ରେନ ସଫା କରିବା ପାଇଁ ମଧ୍ୟ କୋର୍ଟ ଆଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଦିଲ୍ଲୀର ସିଭିକ ଏଜେନ୍ସିଗୁଡ଼ିକରେ ବଡ଼ ଭିତ୍ତିଭୂମି ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ଟଙ୍କା ନାହିଁ। ପ୍ରଶାସନିକ ଭାବରେ, ଅନେକ ଏଜେନ୍ସିର ଉପସ୍ଥିତି ହେତୁ ସମସ୍ତେ ପରସ୍ପର ଉପରେ ଦୋଷ ଲଦିଚାଲିଛନ୍ତି । ଗତ କିଛି ମାସରେ କ୍ୟାବିନେଟ ବୈଠକ ହୋଇ ନଥିବାରୁ ଦିଲ୍ଲୀ ସରକାରଙ୍କ ତରପରୁ ମଧ୍ୟ କୌଣସି ପ୍ରୋଜେକ୍ଟ ମିଳିବା ସହଜ ହେବ ନାହିଁ ବୋଲି କୋର୍ଟ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.