fbpx

ଚଳିତ ବର୍ଷ ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ: ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ । ପାଖାପାଖି ୪୦ଟି କଣ୍ଟିଜେଣ୍ଟ ସ୍ୱାଧୀନତା ଦିବସ ପରେଡରେ ଭାଗ ନେବେ । ଏହି ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରକୁ ଅଧିକ ଅର୍ଥ ବରାଦ କରାଯିବ । ଏନେଇ ଆଜି ଗୃହ ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବା ସହ ସ୍ୱାଧୀନତା ଦିବସ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ସେନେଇ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରୁ ଜଣାପଡ଼ିଛି ଯେ, ଚଳିତ ବର୍ଷ ପରେଡରେ ସ୍କୁଲ-କଲେଜ ଓ ପୋଲିସ ବାହିନୀର କଣ୍ଟିଜେଣ୍ଟକୁ ମିଶାଇ ପ୍ରାୟ ୪୦ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ସକାଳ ୯ଟା ସମୟରେ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦବୋଧନ ଦେବେ । ଏହାପରେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ଏହି ଅବସରରେ ଜିଲ୍ଲାସ୍ତରର ସ୍ୱାଧୀନତା ଦିବସ ପାଳନ କାର୍ୟ୍ୟକ୍ରମ ପାଇଁ ଅଧିକ ଅର୍ଥର ବରାଦ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତା ଦିବସ ଆମର ଏକ ଜାତୀୟ କାର୍ଯ୍ୟକ୍ରମ । ସାରା ଦେଶବାସୀଙ୍କ ପାଇଁ ଖୁସି ଓ ଉତ୍ସବର ଦିବସ । ତେଣୁ ଏହାକୁ ମହାସମାରୋହରେ ପାଳନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂହ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଓ କଟକ-ଭୁବନେଶ୍ୱରର ପୋଲିସ କମିଶନର ସଂଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.