fbpx

ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମାର ପ୍ରିମିୟମ ଉପରୁ ହଟିଯିବ ୧୮ ପ୍ରତିଶତ GST! ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା 

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିଶ ଗଡ଼କରୀ ଚିଠି ଲେଖିବା ପରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମାର ପ୍ରିମିୟମ ଉପରୁ ୧୮ ପ୍ରତିଶତ ଦ୍ରବ୍ୟ ଓ ସେବା କର (ଜିଏସଟି) ହଟିଯିବ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି । ଜୀବନ ଓ ସ୍ୱାସ୍ଥ୍ୟ ବୀମା ଉପରୁ ୧୮ ପ୍ରତିଶତ ଜିଏସଟି ହଟିପାରେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଶ୍ରୀ ଗଡ଼କରୀ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଏହି ପ୍ରସଙ୍ଗକୁ ନେଇ ସଂସଦରେ ଚର୍ଚ୍ଚା ହୋଇଥିଲା । ଏବେ ଅର୍ଥମନ୍ତ୍ରୀ ଏହି ପ୍ରସଙ୍ଗକୁ ନେଇ ଏକ ବଡ଼ ଘୋଷଣା କରିଥିବାରୁ ଏହା ଗ୍ରାହକଙ୍କୁ ବଡ଼ ଫାଇଦା ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ଅଗଷ୍ଟ ୭ରେ ଅର୍ଥମନ୍ତ୍ରୀ ସଂସଦରେ ଅର୍ଥ ବିଧେୟକ-୨୦୨୪ରେ କରାଯାଇଥିବା ସଂଶୋଧନକୁ ନେଇ ଉତ୍ତର ରଖିଥିଲେ । ସେହି ଅବସରରେ ସେ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମାର ପ୍ରିମିୟମ ଉପରେ ୧୮ ପ୍ରତିଶତ ଜିଏସଟି ପ୍ରସଙ୍ଗ ଉଠାଇଥିଲେ । ଜିଏସଟି କାଉନସିଲ ବୈଠକରେ ଏହି ପ୍ରସଙ୍ଗ ଉଠାଯିବ ଓ ତା’ପରେ ସେହି ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ । ସେହି ସମୟରେ ଏହି ପ୍ରସଙ୍ଗକୁ ରାଜନୀତିକରଣ କରାଯାଉଥିବା ନେଇ ବିରୋଧୀ ପକ୍ଷରୁ କୁହାଯାଇଥିଲା । ତେବେ ଜିଏସଟି ବ୍ୟବସ୍ଥା ଲାଗୁ ହେବା ପୂବରୁ ମେଡିକାଲ ବୀମା ଉପରେ ଟ୍ୟାକ୍ସ ଲାଗୁ ଥିଲା ଓ ତାହା ସମସ୍ତ ରାଜ୍ୟରେ ଲାଗୁ ହୋଇଥିଲା । ଆଜି ଯେଉଁ ଦଳମାନେ ଏହି ପ୍ରସଙ୍ଗ ଉଠାଉଛନ୍ତି ସେମାନେ ନିଜ ସରକାର ଥିବା ରାଜ୍ୟରେ ଏହି ଟ୍ୟାକ୍ସକୁ ହଟାଇବାକୁ ବିଚାର ବିମର୍ଶ କରିଛନ୍ତି କି ବୋଲି ଅର୍ଥମନ୍ତ୍ରୀ ପ୍ରଶ୍ନ କରିଥିଲେ । ସୂଚନାଯୋଗ୍ୟ ଯେ, ଜୀବନ ଓ ସ୍ୱାସ୍ଥ୍ୟ ବୀମାର ପ୍ରିମିୟମ ଉପରେ ଲାଗୁଥିବା ଜିଏସଟିରୁ ଗତ ୩ ବର୍ଷରେ ସରକାର ୨୪ ହଜାର କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରିଛନ୍ତି । ଜିଏସଟି କଲେକ୍ସନର ପାଖାପାଖି ୭୪ ପ୍ରତିଶତ ରାଜ୍ୟମାନଙ୍କ ପାଖରେ ରହିଥିବା ଅର୍ଥମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.