fbpx

ଅଭିନେତା ରାଜପାଲ ଯାଦବଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ସିଜ୍ ହେଲା: ୫ କୋଟିର ଲୋନ୍ ନ ସୁଝିବାରୁ ଆକ୍ସନ ନେଲା ବ୍ୟାଙ୍କ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଅଭିନେତାଙ୍କର କୋଟି କୋଟ ଟଙ୍କାର ସମ୍ପତ୍ତିକୁ ଜବତ କରିଛନ୍ତି ବ୍ୟାଙ୍କ ଅଧିକାରୀ । ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ଅଭିନେତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଋଣ ସୁଝି ନ ପାରିବା କାରଣରୁ ବ୍ୟାଙ୍କ ଅଧିକାରୀମାନେ ରାଜପାଲଙ୍କ ସମ୍ପତ୍ତି ଜବତ କରିଥିବା କୁହାଯାଉଛି । ବ୍ୟାଙ୍କ ଅଧିକାରୀମାନେ ଏହି ପଦକ୍ଷେପ ନେବା ପରେ ଏବେ ରାଜପାଲ ଯାଦବଙ୍କୁ ନେଇ ଚାରିଆଡ଼େ ଖୁବ୍ ଚର୍ଚ୍ଚା ଚାଲିଛି ।

ଖବର ମୁତାବକ, ୨୦୧୨ରେ ରିଲିଜ୍ ହୋଇଥିବା ରାଜପାଲଙ୍କ ଫିଲ୍ମ ‘ଅତା ପତା ଲାପତା’ ସହ ଏହି ମାମଲା ଜଡ଼ିତ ରହିଛି । ଏହି ଫିଲ୍ମକୁ ରାଜପାଲ ନିର୍ଦ୍ଦେଶନା ଦେଇଥିବା ବେଳେ ତାଙ୍କର ପତ୍ନୀ ରାଧା ଯାଦବ ପ୍ରଯୋଜକ ରହିଥିଲେ । ଫିଲ୍ମ ପାଇଁ ରାଜପାଲ ମୁମ୍ବାଇର ବାନ୍ଦ୍ରା ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖାରୁ ୫ କୋଟିର ଲୋନ୍ ନେଇଥିଲେ । ତେବେ ଲୋନ ସୁଝି ନ ପାରିବା କାରଣରୁ ରାଜପାଲଙ୍କ ଶାହଜହାଁପୁର ସ୍ଥିତ ସେଠ ଏନକ୍ଲେଭକୁ ବ୍ୟାଙ୍କ ପକ୍ଷରୁ ସିଜ୍ କରିଦିଆଯାଇଛି ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ବ୍ୟାଙ୍କ ଅଧିକାରୀମାନେ ୨ ଦିନ ପୂର୍ବରୁ ଶାହଜହାଁପୁରରେ ପହଞ୍ଚିଥିଲେ । ରବିବାର ଦିନ ରାଜପାଲଙ୍କ ପ୍ରପର୍ଟିରେ ବ୍ୟାଙ୍କ ପକ୍ଷରୁ ବ୍ୟାନର ଲଗାଇ ଦିଆଯାଇଥିଲା । ସେଥିରେ ଲେଖାଯାଇଥିଲା, ‘ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ମୁମବାଇର ଏହି ସମ୍ପତ୍ତିକୁ କେହି କ୍ରୟ କରିପାରିବେ ନାହିଁ ।’ ସୋମବାର ସକାଳୁ ବ୍ୟାଙ୍କ ଅଧିକାରୀମାନେ ଉକ୍ତ ପ୍ରପର୍ଟିକୁ ସିଜ୍ କରିଦେଇଥିଲେ । ଏହି ମାମଲାରେ ୨୦୧୮ରେ ରାଜପାଲ ୩ ମାସ ପାଇଁ ଜେଲ ଯାଇଥିଲେ । ଦିଲ୍ଲୀ ବେସଡ କମ୍ପାନୀ ମୁରଲୀ ପ୍ରୋଜେକ୍ଟସ ରାଜପାଲଙ୍କ କମ୍ପାନୀ ଶ୍ରୀ ନୌରଙ୍ଗ ଗୋଦାବରୀ ଏଣ୍ଟରଟେନମେଣ୍ଟ ବିରୋଧରେ ସିଭିଲ କେସ୍ ଫାଇଲ କରିଥିଲେ । ୨୦୧୦ରେ ରାଜପାଲ ଏହି ଲୋନ୍ ନେଇଥିଲେ ।

Get real time updates directly on you device, subscribe now.