fbpx

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟର ସମସ୍ତ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜ ଅଲଗା ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଜେପି ସରକାର ପ୍ରଥମ ଥର ପାଇଁ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ଆସିଛି ଏକ ବଡ଼ ଅପଡେଟ୍ । ରାଜ୍ୟର ସମସ୍ତ କଲେଜରେ ଯୁକ୍ତଦୁଇ ଓ ଯୁକ୍ତତିନି (ଡିଗ୍ରୀ) ଅଲଗା ହେବ । ମାଲକାନଗିରିରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ଅବସରରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏ ନେଇ ଏକ ବଡ଼ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଯୁକ୍ତଦୁଇ ଓ ଯୁକ୍ତତିନି କଲେଜ ଅଲଗା ହେବା ନେଇ ପୂର୍ବ ବିଜେଡି ସରକାର ଅମଳରୁ ଯୋଜନା ଆରମ୍ଭ ହୋଇଥିଲା । ତେବେ ଏହା ମଧ୍ୟରେ କିଛି କଲେଜରେ ଏହା କାର୍ଯ୍ୟକାରୀ ହୋଇଥିବା ବେଳେ ଆଉ କିଛି କଲେଜରେ ଏହା କାର୍ଯ୍ୟକାରୀ ହୋଇ ନଥିଲା । ଚଳିତ ବିଧାନସଭା ଅଧିବେସନରେ ମଧ୍ୟ ଏହି ଯୋଜନା ବିଷୟରେ ପ୍ରଶ୍ନ ଉଠିଥିଲା । ସେ ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିଦ୍ୟାନନ୍ଦ ଗଣ୍ଡ ଏ ପ୍ରସଙ୍ଗରେ ତଥ୍ୟ ରଖିଥିଲେ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ) କ୍ୟାମ୍ପସକୁ ଯୁକ୍ତ ତିନି (ଡିଗ୍ରୀ କଲେଜକୁ ପୃଥକ କରାଯାଇଛି । ସେହିପରି ୯ଟି ସରକାରୀ ଯୁକ୍ତଦୁଇ କଲେଜକୁ ପୃଥକୀକରଣ ନିମନ୍ତେ ସରକାରୀ ଭାବେ ଅନୁମୋଦନ କରାଯାଇଛି । ଏବେ ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ଯୁକ୍ତଦୁଇ ଓ ଡିଗ୍ରୀ କଲେଜ ପୃଥକୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଯୁକ୍ତତିନି ଶିକ୍ଷାର ମାନ ବୃଦ୍ଧି ଲାଗି ଏହା ନିହାତି ଜରୁରୀ ହୋଇପଡ଼ିଛି । ରାଜ୍ୟ ସରକାର ଏଥିପାଇଁ ଆବଶ୍ୟକ ଜାଗା ଓ ଭିତ୍ତିଭୂମି ଯୋଗାଇ ଦେବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.