fbpx

ସନ୍ତାନ ପାଇଁ ଶୁଭ ମନାସିବ ମା’, ବୁଧେଇ ଓଷା ଆରମ୍ଭ, ମହିଳାମାନେ ନିଷ୍ଠାର ସହ ରଖୁଛନ୍ତି ବ୍ରତ

ଓଡିଶା ଭାସ୍କର: ସନ୍ତାନର ଶୁଭ ମନାସିବ ମା’ । ତାହାସହ ତାହାର ଉତ୍ତରୋତ୍ତର କାମନା କରି ମା’ ରଖିବ ସନ୍ତାନ ପାଇଁ ବ୍ରତ । ଆଜିଠୁ ଆରମ୍ଭ ହେଉଛି ବୁଧେଇ ଓଷା । ଓଡିଶାରେ ପାଳନ ହେଉଥିବା ଅନେକ ବ୍ରତ ମଧ୍ୟରେ ଏହା ବେଶ୍ ଭିନ୍ନ ଓ ସ୍ୱତନ୍ତ୍ର ମଧ୍ୟ । ଭାଦ୍ରବ ମାସର ପ୍ରତି ବୁଧବାରରେ ଏହି ଓଷା ପାଳିତ ହୁଏ । କେହି ଏହାକୁ ଗହ୍ମାପୂର୍ଣ୍ଣିମାରୁ ଇନ୍ଦୁପୂର୍ଣ୍ଣିମା ମଧ୍ୟରେ ମନାଇ ଥାଆନ୍ତି ତ ପୁଣି କେହି ଭାଦ୍ରବ ସଂକ୍ରାନ୍ତିରୁ ଆଶ୍ୱିନ ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ପାଳନ କରନ୍ତି ।

ମହିଳାମାନେ ନିଜ ସନ୍ତାନଙ୍କ ଶୁଭ ମନାସିବା ପାଇଁ ଏହା ପାଳନ କରନ୍ତି । ଏହା ନିର୍ଜଳା ତଥା ଅନ୍ନ ନ ଖାଇ ପାଳନ କରାଯାଏ । ବ୍ରତରେ ବୁଧିବାମନଙ୍କୁ ପୂଜା କରାଯାଏ । ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା । ଏହି ବ୍ରତରେ ତାହାଙ୍କୁ ଆବାହନ ଦିଆଯାଏ ।

ପରମ୍ପରା ଅନୁଯାୟୀ, ବିଭିନ୍ନ ରଙ୍ଗର ଫୁଲ, ଫଳ, ଧୂପ, ଦୁବ , ହଳଦୀ, ଗୁଆ, କଉଡି, ନଡିଆ, ସାଲୁକନା, ଶଙ୍ଖା, ସିନ୍ଦୁର ଆଦି ଏହି ପୂଜାରେ ବ୍ୟବହୃତ ହୋଇଥାଏ । ପ୍ରଥମ ପାଳିରୁ ଏଥିରେ ଗୋଟିଏ ନଡ଼ିଆ ଓ ଗୁଆ ବସାଯାଇ, ଶେଷ ପାଳିରେ ଏହାକୁ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯିବାର ପରମ୍ଫରା ଆବାହମାନ କାଳରୁ ରହିଛି । ସେହିଭଳି ମଝିପାଳି ଗୁଡ଼ିକରେ ପିଠାପଣା ଭୋଗରାଗ ହୁଏ । ଶେଷ ପାଳି ଦିନ ପାଞ୍ଚ ପ୍ରକାର ପିଠାପଣା ପ୍ରସ୍ତୁତ କରାଯାଏ ।

ପ୍ରତ୍ୟେକ ବୁଧବାର ମହିଳାମାନେ ଉପବାସ କରି ରାତିରେ ପୂଜା ପରେ ଭୋଗ ଖାଇ ଥାଆନ୍ତି । ଶିଳ ଏବଂ ଶିଳପୁଆ ଏହି ସମୟରେ ଦେବାଦେବୀ ଭାବରେ ପୂଜିତ ହୁଅନ୍ତି । ଏହି ବ୍ରତରେ ପ୍ରଥମେ ଶିଳ ଏବଂ ଶିଳପୁଆକୁ ଗଙ୍ଗାଜଳରେ ସ୍ନାନ କରାଯାଏ । ପରେ ଏଥିରେ ହଳଦୀ, ସିନ୍ଦୁର, କଉଡି, ଫୁଲ ଲଗାଇ ନାରୀବେଶରେ ସଜାଯାଏ। ମଥାରେ ସିନ୍ଦୂର ଓ ଆଖିରେ କଜ୍ୱଳ ଦିଆଯାଏ ।

Get real time updates directly on you device, subscribe now.