fbpx

ଯୁକ୍ତ ତିନି ନାମଲେଖା ନିୟମ ବଦଳାଇଲା ଉଚ୍ଚଶିକ୍ଷା ବିଭାଗ: ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁକ୍ତ ତିନି ନାମଲେଖା ନିୟମ ବଦଳିଛି । ଏଥିପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରାଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଉଚ୍ଚଶିକ୍ଷା ବିଭାଗ ଯୁକ୍ତ ତିନି ନାମଲେଖା ନିୟମ ବଦଳାଇଛି । ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ଆଡମିସନ ପ୍ରକ୍ରିୟାକୁ ନେଇ ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ନୂଆ ନିଷ୍ପତ୍ତି ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଅଂଶଗ୍ରହଣ କରି ଯୁକ୍ତ ତିନି ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ।

ଅଗଷ୍ଟ ୧୨ରୁ ନାମଲେଖା ଆରମ୍ଭ ହୋଇଥିବା ବେଳେ ତାହା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ବାବଦରେ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀ ଦ୍ୱିତୀୟ ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ସେଥିରେ ଉଲ୍ଲେଖ ରହିଥିଲା । ତେବେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବା ପରେ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ଗାଇଡଲାଇନରେ ସଂଶୋଧନ କରି ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀଙ୍କୁ ନିଜ ମନ ପସନ୍ଦର କଲେଜ ଓ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଉ ଥରେ ସୁଯୋଗ ଦେବା ପାଇଁ ବିଭାଗକୁ ଅନୁରୋଧ କରିଥିଲେ । ଏହି ପ୍ରସଙ୍ଗରେ ବ୍ୟାପକ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ନିଜ ନିଷ୍ପତ୍ତିକୁ ବଦଳାଇଥିବା ଜଣାପଡ଼ିଛି । ବିଭାଗର ଏହି ନିଷ୍ପତ୍ତି ପରେ ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.