fbpx

ଅରୁଣ ଜେଟଲୀଙ୍କ ପୁଅ ରୋହନ ଜେଟଲୀ ହେବେ BCCIର ପରବର୍ତ୍ତୀ ସମ୍ପାଦକ: ସୂତ୍ର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପରବର୍ତ୍ତୀ ସମ୍ପାଦକ ପଦକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ବିସିସିଆଇର ସମ୍ପାଦକ ପଦରେ ଜୟ ଶାହ ରହିଥିବା ବେଳେ ସେ ଖୁବଶୀଘ୍ର ଏହି ପଦ ଛାଡ଼ିପାରନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଅଧ୍ୟକ୍ଷ ଦୌଡ଼ାରେ ଜୟଙ୍କ ନାମ ସର୍ବାଗ୍ରେ ରହିଛି । ଜୟ ନ୍ୟୁଜିଲାଣ୍ଡର ଗ୍ରେଗ୍ ବାର୍କଲେଙ୍କ ସ୍ଥାନ ନେଇ ପାରନ୍ତି । ଆଇସିସି ଅଧ୍ୟକ୍ଷ ହେବା ପାଇଁ ଜୟଙ୍କ ନାମର ଜଣେ ପ୍ରସ୍ତାବକ ଓ ଜଣେ ସମର୍ଥକ ଆବଶ୍ୟକ ରହିଥିବା ବେଳେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ କ୍ରିକେଟ ବୋର୍ଡ ଏନେଇ ଜୟଙ୍କୁ ସମର୍ଥନ କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ତେଣୁ ଆଇସିସି ଅଧ୍ୟକ୍ଷ ହେବା ପାଇଁ ଜୟଙ୍କ ପାଇଁ ରାସ୍ତା ସହଜ ହେବ ବୋଲି କୁହାଯାଉଛି ।

ତେବେ ଜୟ ଯଦି ଆଇସିସି ଅଧ୍ୟକ୍ଷ ହୁଅନ୍ତି ବିସିସିଆଇ ଅଧ୍ୟକ୍ଷ ପଦରେ ଆଉ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦରେ କାହାକୁ ବସାଯିବ ସେଥିପାଇଁ ରେସରେ ଅନେକ ପ୍ରାର୍ଥୀ ରହିଛନ୍ତି । ତେବେ ଏହି ରେସରେ ସବୁଠାରୁ ଆଗରେ ରହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସ୍ୱର୍ଗତ ଅରୁଣ ଜେଟଲୀଙ୍କ ପୁଅ ରୋହନ ଜେଟଲୀ । ରୋହନ ଏବେ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ (ଡିଡିସିଏ)ର ସଭାପତି ରହିଥିବା ବେଳେ ସେ ୪ ବର୍ଷ ହେଲା ଏହି ଦାୟିତ୍ୱରେ ରହିଛନ୍ତି । ଏଥିସହିତ ସେ ସୁପ୍ରିମକୋର୍ଟରେ ଜଣେ ଓକିଲ ଭାବେ କାର୍ଯ୍ୟ କରୁଛନ୍ତି । ପିତା ଜେଟଲୀ ୧୪ ବର୍ଷ ଧରି ଡିଡିସିଏର ସଭାପତି ରହିଥିବା ବେଳେ ରୋହନଙ୍କର ଜୟଙ୍କ ସହିତ ସହିତ ସୁସମ୍ପର୍କ ରହିଛି । ଆଇସିସି ନିୟମ ଅନୁସାରେ, ବର୍ତ୍ତମାନର ୧୬ ଜଣ ଯାକ ନିର୍ଦ୍ଦେଶକ ଅଗଷ୍ଟ ୨୭ ସୁଦ୍ଧା ସେମାନଙ୍କର ପସନ୍ଦର ଅଧ୍ୟକ୍ଷଙ୍କ ନାମ ଦାଖଲ କରିବେ । ଜୟ ଆଇସିସି ଅଧ୍ୟକ୍ଷ ହେବେ ମାତ୍ର ୩୬ ବର୍ଷ ବୟସରେ ସେ ସର୍ବକନିଷ୍ଠ ଅଧ୍ୟକ୍ଷ ହେବାର ସୌଭାଗ୍ୟ ଅର୍ଜନ କରିବେ ।

Get real time updates directly on you device, subscribe now.