fbpx

(Video) ଝିଅଙ୍କ ଦୁଃଖ ଦେଖି ସହି ପାରିଲେନି.. ଶେଷରେ ଅପରେସନ୍ ହୋଇ ଅଜୟରୁ ରିଙ୍କି ହୋଇଗଲେ ବାଲେଶ୍ୱରର ଯୁବକ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଲିଙ୍ଗ ପରିବର୍ତ୍ତନ ଏକ ସାଧାରଣ ଘଟଣା ହୋଇ ସାରିଛି । ଯେକୌଣସି ନାଗରିକ ନିଜ ଇଚ୍ଛା ଅନୁସାରେ ପୁରୁଷରୁ ଝିଅ କିମ୍ବା ନାରୀରୁ ପୁରୁଷ ହୋଇପାରିବେ । ଏହାର ଏକ ଉଦାହରଣ ପାଲଟିଛି ବାଲେଶ୍ୱର ଜଳେଶ୍ୱରର ନମକାନା ଗାଁର ରବିନ୍ଦ୍ର ବାରିକଙ୍କ ପୁଅ ଅଜୟ ବାରିକ । କିନ୍ତୁ ଆଜି ସେ ଆଉ ଅଜୟ ହୋଇ ନାହାନ୍ତି, ସେ ବର୍ତ୍ତମାନ ଅଜୟରୁ ରିଙ୍କି ପାଲଟି ଯାଇଛନ୍ତି । ଶୈଶବରୁ କୈଶୋର ଏବଂ କୈଶୋରରୁ ଯୌବନ ଯାଏ ଜଣେ ପୁରୁଷ ଭାବେ ସମାଜରେ ସେ ପରିଚିତ ଥିଲେ । କିନ୍ତୁ ଏବେ ଜଣେ ସୁନ୍ଦରୀ କନ୍ୟା ଭାବରେ ରିଙ୍କି ନାମରେ ନୂଆ ପରିଚୟ ପାଇଛନ୍ତି ଅଜୟ ଔରଫ ରିଙ୍କି । ମହିଳାଙ୍କ ଦୁଃଖ, କଷ୍ଟ ଓ ଯନ୍ତ୍ରଣାକୁ ଅନୁଭବ କରିବା ପାଇଁ ସେ ନିଜେ ଜଣେ ମହିଳା ହେବାକୁ ସେ ନିଷ୍ପତ୍ତି ନେଇଛନ୍ତି ।

ଚାଲି ଚଳଣ, ରଙ୍ଗ ଢଙ୍ଗ କୌଣସିରୁ ବି କେହି ସାମାନ୍ୟ ଆଭାସ ମଧ୍ୟ ପାଇବେନି କି ଦିନେ ସେ ଜଣେ ପୁରୁଷ ଥିଲେ । ସେ ପୁଅଟେ ହୋଇ ଖାଲି ଜନ୍ମ ହୋଇନଥିଲେ, ବରଂ ପାଠ ପଢିଥିଲେ ଆଉ ଚାକିରି ବି କରିଥିଲେ ଜଣେ ପୁରୁଷ ଭାବରେ । ହେଲେ ଶରୀର ପୁରୁଷ ଥିଲେ ମଧ୍ୟ ମନ ଭିତରୁ ସେ ଜଣେ ନାରୀ ଥିଲେ । ଯେଉଁଥି ପାଇଁ ସେ ଜଣେ ପୁଅ ଭାବେ ନିଜକୁ ବେଶ୍ ଅସହଜ ମନେ କରୁଥିଲେ । ଆଉ ଝିଅଟେ ହେବା ପାଇଁ ତାଙ୍କ ଭିତରେ ଏକ ସୁପ୍ତ ଇଚ୍ଛା ରହିଥିଲା । ଏହା ସହ ଆଜିର ସମାଜରେ ନାରୀଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ କନ୍ୟାଭ୍ରୁଣ ହତ୍ୟା ଇତ୍ୟାଦି ଦେଖି ତାଙ୍କର ମନ ବି ବଦଳିଯାଇଥିଲା । ପାଠ ପଢା ଶେଷ ହେବା ପରେ କୋଲକାତାରେ ରହି ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ହେଲେ ପୁରୁଷ ଶରୀର ଭିତରେ ଏକ ନାରୀର ମନ ତାଙ୍କୁ ଭାରି ଛଟପଟ କରୁଥିଲା । ଅନ୍ୟ ଝିଅଙ୍କ ପରି ସେ ସଜ ହେବାକୁ ଚାହୁଁଥିଲେ । ଏବଂ ସାଥୀ ଭାବେ ଜଣେ ପୁରୁଷକୁ ବାହା ହୋଇ ସଂସାର କରିବାକୁ ବି ତାଙ୍କର ଇଚ୍ଛା ଥିଲା ।

ଏହା ସହିତ ବର୍ତ୍ତମାନ ସମୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ହିଂସା ତାଙ୍କ ମନକୁ ଆନ୍ଦୋଳିତ କରୁଥିଲା । ଏପରିକି ଝିଅଟିଏ ଜନ୍ମ ଦେବାକୁ ମଧ୍ୟ ଅନେକ ଲୋକ ଚାହୁଁନଥିବା ଏବଂ କନ୍ୟାଭ୍ରୁଣକୁ ହତ୍ୟା କରୁଥିବା ଭଳି ଘଟଣା ତାଙ୍କୁ ବହୁତ ଦୁଃଖ ଦେଉଥିଲା । ତେଣୁ ଜଣେ ଝିଅ ବା ମହିଳାଙ୍କ ଦୁଃଖ ଓ ଯନ୍ତ୍ରଣାକୁ ସେ ନିଜେ ଅନୁଭବ କରିବାକୁ ଚାହିଁଲେ । କାରଣ ଜଣେ ମହିଳା ହିଁ ଆଉଜଣେ ମହିଳାର ଦୁଃଖକୁ ଅନୁଭବ କରିପାରିବ ବୋଲି ଅଜୟ ସବୁବେଳେ ଭାବୁଥିଲେ । ଶେଷରେ ସମାଜକୁ ଏକ ନୂଆ ବାର୍ତ୍ତା ଦେବା ପାଇଁ ଅଜୟ ଏକ ବଡ ନିଷ୍ପତ୍ତି ନେଇଗଲେ । କୋଲକାତାରେ ଚାକିରି କରୁଥିବା ବେଳେ ଯୁବକରୁ ଯୁବତୀ ହେବା ପାଇଁ ନିଷ୍ପତ୍ତି ନେଇଥିଲେ ଅଜୟ । ଏ ନେଇ ସେ ନିଜ ପରିବାର ଲୋକଙ୍କ ସହ କଥା ବି ହୋଇଥିଲେ । ଆଉ ପରିବାର ସଦସ୍ୟଙ୍କ ସହମତି କ୍ରମେ ୨୦୨୨ ଡିସେମ୍ବରରେ ଦିଲ୍ଲୀ ସ୍ଥିତ ଓଲମେକ୍ ହସ୍ପିଟାଲର ଡାକ୍ତର ନରେନ୍ଦ୍ର କୌଶିକଙ୍କ ତତ୍ତ୍ୱାବଧାନରେ ନିଜର ଲିଙ୍ଗ ବଦଳାଇବା ପାଇଁ ଅସ୍ତ୍ରୋପଚାର କରାଇଥିଲେ ଅଜୟ ।

ସମସ୍ତ ପ୍ରକାର ପରୀକ୍ଷା ନୀରିକ୍ଷା ପରେ ବିଶେଷଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ଅନେକ ପ୍ରକାର ସର୍ଜରୀ କରାଯାଇଥିଲା । ଯେଉଁଥିରେ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଆଉ ଶେଷରେ ଏହି ଅସ୍ତ୍ରୋପଚାର ସଫଳ ହୋଇଥିଲା ଏବଂ ଅଜୟ ବାରିକ ନିଜର ନାଁ ବଦଳାଇ ରିଙ୍କି ବାରିକ ଭାବେ ଏକ ନୂଆ ପରିଚୟ ପାଇଥିଲେ । ଯୁବକରୁ ଯୁବତୀ ହେବା ସହ ସେବେଠାରୁ ହିଁ ବିଭିନ୍ନ ସଙ୍ଗଠନ ସହ ଜଡିତ ହୋଇ ନାରୀ ସଶକ୍ତୀକରଣ ଏବଂ ସମାଜରେ ଅବହେଳିତ ଓ ନିଷ୍ପେସିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ କାମ କରୁଛନ୍ତି ରିଙ୍କି ଔରଫ୍ ଅଜୟ ବାରିକ ।

Get real time updates directly on you device, subscribe now.