fbpx

ଛତିଶଗଡ଼ରେ ସଫଳ ହେଲା ମାଓ ବିରୋଧୀ ଅପରେସନ; ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ

ରାୟପୁର: ଛତିଶଗଡ଼ର ଦାନ୍ତେଓ୍ଵାଡ଼ା ଓ ବିଜାପୁର ଜିଲ୍ଲାରେ ଆଜି ସକାଳେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୯ ଜଣ ମାଓବାଦୀ ନିହତ ହୋଇଛନ୍ତି। ସିଆରପିଏଫର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୩ ତାରିଖ ମଙ୍ଗଳବାର ସକାଳେ ଜିଲ୍ଲା ରିଜର୍ଭ ଗାର୍ଡ ଏବଂ କେନ୍ଦ୍ରୀୟ ରିଜର୍ଭ ସୁରକ୍ଷା ବଳର ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିଲେ। ଦାନ୍ତେଓ୍ଵାଡ଼ା ଓ ବିଜାପୁର ସୀମାରେ ଥିବା ଲୋହାଗାଓଁ ପିଡ଼ିଆ ଜଙ୍ଗଲରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।

ଦାନ୍ତେଓ୍ଵାଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଗୌରବ ରାୟ କହିଛନ୍ତି, ସେପ୍ଟେମ୍ବର ୨ ତାରିଖରେ ପଶ୍ଚିମ ବସ୍ତର ଡିଭିଜନ, ଦରଭା ଡିଭିଜନ ଓ ପିଏଲଜିଏ କମ୍ପାନି ନମ୍ବର ୨ ଥାନା ଅଧୀନରେ ଥିବା ପୁରଙ୍ଗଲର ଆନ୍ଦ୍ରିରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା। ଏହି ସୂଚନା ପାଇବା ପରେ ବସ୍ତର ଫାଇଟର, ଡିଆରଜି ଓ ସିଆରପିଏଫ ର ଟିମ୍ ସହ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଦାନ୍ତେଓ୍ଵାଡ଼ା ପୁଲିସ ଏକ ବିବୃତ୍ତିରେ କହିଛି, ଆଜି ସକାଳେ, ଯେତେବେଳେ ସୁରକ୍ଷା ବାହିନୀ ଘେରାଉ କରିଥିଲେ, ସେତେବେଳେ ମାଓବାଦୀ ଗୁଳିଚାଳନା ଆରମ୍ଭ ହୋଇଥିଲେ।

ଯାହାର ପାଲଟା ଯବାବ ଦେଇଥିଲେ ସୁରକ୍ଷାକର୍ମୀ, ପ୍ରାଣ ହରାଇଲେ ୯ ଜଣ ମାଓବାଦୀ। ଘଟଣାସ୍ଥଳରୁ ଏସ୍ଏଲ୍ଆର୍, ୩୦୩ ରାଇଫଲ୍ ଓ ୩୧୫ ବୋର ରାଇଫଲ୍ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ୨୦୨୪ ଜାନୁଆରୀରୁ ଛତିଶଗଡ଼ରେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୧୪୦ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବସ୍ତର ଡିଭିଜନରେ ୧୩୦ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି।

Get real time updates directly on you device, subscribe now.