fbpx

କିଛି ଦିନ ଧରି ହେଉଥିବା ବର୍ଷାରେ ଜଳବନ୍ଦୀ କୋରାପୁଟର ବହୁ ଅଞ୍ଚଳ

କୋରାପୁଟ: ଲଗାଣ ବର୍ଷାରେ ବୁଡିଲା କୋରାପୁଟ । ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି । କୋଲାବ ନଦୀର ଜଳସ୍ତର ବୃଦ୍ଧିପାଇବାରୁ ତଳିଆ ଅଞ୍ଚଳରେ ପାଣି ପଶିଗଲାଣି । ଦୀଗାପୁର ବ୍ରିଜ ଉପରେ ଲହଡି ଭାଙ୍ଗୁଛି ବନ୍ୟା ଜଳ । ଫଳରେ କୁନ୍ଦୁରା ଦୀଗାପୁରରୁ ଘୁମର ଯାଏଁ ଯାତାୟାତ ବାଧାପ୍ରାପ୍ତ ହୋଇଯାଇଛି ।

କୁନ୍ଦୁରା ବ୍ଲକର କୁରଲୁ ଓ ବିରି ନଦୀରେ ମଧ୍ୟ ବନ୍ୟା ଜଳ ପ୍ରଭାବିତ ହେଉଛି । ନଦୀ ପାଇଁ ବ୍ଲକର ବହୁ ଅଞ୍ଚଳ ଜଳବନ୍ଦୀ ହୋଇପଡିଛି । ଏହି ଲଗାଣ ବର୍ଷା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କିଛି ଜାଗାରେ ବର୍ଷା ପାଇଁ ମାଟି ଘର ଭାଙ୍ଗିପଡିବାର ଖବର ରହିଛି । ସେପଟେ ବଙ୍ଗୋପସାଗରରେ ବଳ ଗୋଟାଉଛି ଅବପାତ । ଆଗାମୀ ଦିନରେ ମଧ୍ୟ ଜିଲ୍ଲାକୁ ବର୍ଷା ସମ୍ଭାବନା ରହିଥିବାରୁ ଲୋକେ ଛାନିଆ ହେଲେଣି ।

ପଶ୍ଚିମ କେନ୍ଦ୍ରୀୟ ନିକଟବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ କେନ୍ଦ୍ରୀଭୂତ ହୋଇଛି । ଗୋପାଳପୁରରୁ ୨୬୦ କିମି ପୂର୍ବ- ଦକ୍ଷିଣରେ ଏହି ଅବପାତ କେନ୍ଦ୍ରୀଭୂତ ହୋଇଛି । ୨୪ ଘଣ୍ଟା ଭିତରେ ଏହା ଉତ୍ତର- ପଶ୍ଚିମ ଦିଗରେ ଅଗ୍ରସହ ହେବା ସହ ଗଭୀର ଅବପାତରେ ପରିଣତ ହେବ ।

ଉତ୍ତର ଓଡିଶା ଉପକୂଳରେ ଗଭୀର ଅବପାତ ହେବା ପରେ ପଶ୍ଚିମ- ଉତ୍ତର- ପଶ୍ଚିମ ମୁହାଁ ହୋଇ ଗାଙ୍ଗେଟିକ ପଶ୍ଚିମବଙ୍ଗ, ଉତ୍ତର ଓଡିଶା, ଝାଡଖଣ୍ଡ ଆଡକୁ ଗତିକରିବ । ଏହାର ପ୍ରଭାବରେ ୧୧ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.