fbpx

‘ଆପଣ ପ୍ରଧାନମନ୍ତ୍ରୀ ହେଲେ ଆମେ ସମର୍ଥନ କରିବୁ’, PM ହେବା ପ୍ରସ୍ତାବକୁ କାହିଁକି ଏଡ଼ାଇଥିଲେ… ଖୁଲାସା କଲେ ନୀତିନ ଗଡ଼କାରୀ

ନାଗପୁର: କେନ୍ଦ୍ର ପରିବହନ ମନ୍ତ୍ରୀ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଶନିବାର ବଡ଼ ଖୁଲାସା କରିଛନ୍ତି । ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଜଣେ ବିରୋଧୀ ଦଳର ବରିଷ୍ଠ ନେତା ତାଙ୍କୁ ଅଫର ଦେଇଥିଲେ । କିନ୍ତୁ ଗଡ଼କାରୀ ତାଙ୍କ ପ୍ରସ୍ତାବକୁ ଅସ୍ୱୀକାର କରିଥିଲେ ।

ଶନିବାର ନାଗପୁରରେ ସାମ୍ବାଦିକମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମରେ ନୀତିନ ଗଡ଼କରୀ କହିଥିଲେ, ‘ମୋତେ ଏକ ଘଟଣା ମନେ ଅଛି…ମୁଁ କାହାର ନାଁ ନେବାକୁ ଚାହୁଁନି । ସେହି ବ୍ୟକ୍ତି ଜଣଙ୍କ କହିଥିଲେ ଯେ ଆପଣ ପ୍ରଧାନମନ୍ତ୍ରୀ ହେଲେ ଆମେ ସମର୍ଥନ କରିବୁ ।’ ଏହାର ଉତ୍ତରରେ ନୀତିନ ଗଡ଼କାରୀ କହିଥିଲେ, ‘ଆପଣ ମୋ ସମର୍ଥନ କ’ଣ ପାଇଁ କରିବେ ଏବଂ ମୁଁ ଆପଣଙ୍କ ସମର୍ଥନ କ’ଣ ପାଇଁ ନେବି ? ପ୍ରଧାନମନ୍ତ୍ରୀ ହେବା ମୋ ଜୀବନର ଲକ୍ଷ୍ୟ ନୁହେଁ । ମୁଁ ମୋ ମୂଲ୍ୟବୋଧ ଏବଂ ସଂଗଠନ ପ୍ରତି ବିଶ୍ୱସ୍ତ । ମୁଁ କୌଣସି ପଦବୀ ପାଇଁ ଆପୋଷ ବୁଝାମଣା କରେ ନାହିଁ । ଏହି ମୂଲ୍ୟ ହେଉଛି ଭାରତୀୟ ଗଣତନ୍ତ୍ରର ଆଧାର ।’ ନୀତିନ ଗଡ଼କାରୀ ସ୍ପଷ୍ଟ ଭାବେ କହିଥିଲେ କି ସେ କିଛି ସିଦ୍ଧାନ୍ତ ଏବଂ ଦୃଢ଼ ବିଶ୍ୱାସ ସହ ବଢ଼ିଛନ୍ତି ଏବଂ ଏଥିରେ କୌଣସି ପ୍ରକାର ବୁଝାମଣା କରିବେ ନାହିଁ । ମୁଁ ସେହି ଦଳରେ ଅଛି ଯିଏ ମୋତେ ସବୁକିଛି ଦେଇଛି ଯାହା ମୁଁ କେବେ କଳ୍ପନା ବି କରିନଥିଲି । କୌଣସି ପ୍ରସ୍ତାବ ମୋତେ ଆକର୍ଷିତ କରିପାରିବ ନାହିଁ । ସାମ୍ବାଦିକମାନେ ନିଜ ବୃତ୍ତିଗତ ଜୀବନରେ ସେହି ସ୍ତରର ବିଶ୍ୱାସ ଅପଣାଇବା ପାଇଁ ପ୍ରୋତ୍ସାହିତ କରିଛନ୍ତି । ଆଗାମୀ ପିଢ଼ି ସାମ୍ବାଦିକମାନେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ପ୍ରତିବଦ୍ଧ ରହିବା ଉଚିତ ବୋଲି ଗୁରୁତ୍ୱାରୋପ କରିଛନ୍ତି । ସାମ୍ବାଦିକତା ବୃତ୍ତିରେ ବୃଦ୍ଧି ପାଉଥିବା ‘ସୁପାରୀ ସାମ୍ବାଦିକ’ଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ ସାମ୍ବାଦିକମାନେ ବ୍ଲାକମେଲିଂ ଏବଂ ବ୍ୟକ୍ତିଗତ ଲାଭ ପାଇଁ RTI ଅଧିନିୟମର ଅପବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ।

କହିରଖୁଛୁ ୨୦୧୯ ଏବଂ ୨୦୨୪ ଲୋକସଭା ନିର୍ବାଚନ ସମୟରେ ନୀତିନ ଗଡ଼କାରୀଙ୍କ ନାଁ ପ୍ରଧାନମନ୍ତ୍ରୀ ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଭାବରେ ଆଲୋଚନାର ବିଷୟ ପାଲଟିଥିଲା । ‘ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦି ନେସନ୍‌’ ସର୍ଭେରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରେ ନୀତିନ ଗଡ଼କାରୀଙ୍କ ନାଁ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଉପଯୁକ୍ତ ନେତା ଭାବେ ୩ୟ ନମ୍ବରରେ ଥିଲା ।

Get real time updates directly on you device, subscribe now.