fbpx

୧୦ ବର୍ଷ ପରେ ପୁଣି ଜଣେ ମହିଳା ମୁଖ୍ୟମନ୍ତ୍ରୀ ପାଇଲା ଦିଲ୍ଲୀ

ନୂଆଦିଲ୍ଲୀ: ଆପ ନେତ୍ରୀ ଆତିଶୀ ମାର୍ଲେନା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ଆପ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଦେବ । ଏଥିସହ ଭାରତୀୟ ରାଜନୀତି ଇତିହାସରେ ମଧ୍ୟ ପୂର୍ବ ରେକର୍ଡ ଭାଙ୍ଗିବ । ମୁଖ୍ୟମନ୍ତ୍ରୀ ହେବା ପରେ ଆତିଶୀ ଭାରତ ରାଜନୀତିରେ ଥିବା ମହିଳା ମୁଖ୍ୟମନ୍ତ୍ରୀଙ୍କ ଶ୍ରେଣୀରେ ସାମିଲ ହେବେ । ଏଥିସହ ଆତିଶୀ ଦିଲ୍ଲୀର ତୃତୀୟ ମୁଖ୍ୟମନ୍ତ୍ରୀ ହେବା ସହ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀର ମାନ୍ୟତା ପାଇବେ । ଏବେ ଏହି ମାନ୍ୟତା ରହିଛି ମାୟବତୀଙ୍କ ନାଁରେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶୀଲା ଦିକ୍ଷିତ ଦୀର୍ଘ ୧୫ ବର୍ଷ ରାଜୁତି କରିଥିଲେ । ସେହି ପରି ଦିଲ୍ଲୀର ମହିଳା ମୁଖ୍ୟମନ୍ତ୍ରୀ ତାଲିକାରେ ବିଜେପିର ପୂର୍ବତନ ନେତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ନାଁ ମଧ୍ୟ ରହିଛି । କିନ୍ତୁ ସୁଷମା ମାତ୍ର ୫୨ ଦିନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାର ତୁଲାଇଥିଲେ । ଦିକ୍ଷିତଙ୍କ ଶାସନର ୧୦ ବର୍ଷ ପରେ ଦିଲ୍ଲୀ ପୁଣି ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ପାଇବାକୁ ଯାଉଛି ।

ତେବେ ଦେଶରେ ଥିବା ମହିଳା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏଯାବତ୍ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀର ଆଖ୍ୟା ପାଇଆସୁଥିଲେ ୟୁପିର ବିଏସପି ସୁପ୍ରିମୋ ମାୟାବତୀ । ମାୟା ୩୮ ବର୍ଷ ବୟସରେ ୟୁପି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଯାହାକୁ ଏବେ ଆତିଶୀ ମାୟାଙ୍କଠାରୁ ଛଡାଇ ଆଣିଛନ୍ତି । ସେହିପରି ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ ଲାଲୁ ଯାଦବଙ୍କ ପତ୍ନୀ ରାବଡୀ ଦେବୀ । ରାବଡୀ ୪୨ ବର୍ଷରେ ଏହି ଦାୟିତ୍ୱ ତୁଲାଇଥିଲେ ।

ତାମିଲନାଡୁର ଏଆଇଡିଏମକେ ନେତ୍ରୀ ଜୟଲଳିତା ୪୩ ବର୍ଷରେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ବିଜେପି ନେତ୍ରୀ ଉମା ଭାରତୀ ମଧ୍ୟ ୪୪ ବର୍ଷରେ ମଧ୍ୟପ୍ରଦେଶ ଶାସନଭାର ନିଜ ହାତକୁ ନେଇଥିଲେ । ଗୋଆର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ ଶଶୀକଳା କାକୋଡକର । ଓଡିଶା ମଧ୍ୟ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ପାଇଥିଲା । ନନ୍ଦିନୀ ଶତପଥୀ ୪୧ ବର୍ଷରେ ଏହି ଦାୟିତ୍ୱ ନେଇଥିଲେ । ସେହିପରି ଅନ୍ୟ ମହିଳା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ତାଲିକାରେ ରହିଛନ୍ତି ।

Get real time updates directly on you device, subscribe now.