fbpx

ଲଗାତାର ଦ୍ବିତୀୟ ଦିନିକିଆରେ ସାଉଥ ଆଫ୍ରିକାକୁ ପରାସ୍ତ କରି ସିରିଜ୍ ଜିତିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ୟୁଏଇରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ରେ ଆଫଗାନିସ୍ତାନ ୧୭୭ ରନ୍ ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏହା ସହ ଆଫଗାନିସ୍ତାନ ମଧ୍ୟ ଏହି ସିରିଜ୍ ଜିତିଛି । ଆଫଗାନିସ୍ତାନ ପାଇଁ ଏହି ବଡ଼ ବିଜୟର ନାୟକ ଥିଲେ ରସିଦ ଖାନ୍ । ସେ ୯ ଓଭରରେ ମାତ୍ର ୧୯ ରନ୍ ଦେଇ ୫ ୱିକେଟ୍ ନେଇଥିଲେ । ରସିଦ ଖାନଙ୍କୁ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି ।

ଏହାବ୍ୟତୀତ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ରହମାନୁଲ୍ଲା ଗୁରବାଜ ଶତକ ଖେଳି ୧୦୫ ରନ୍ କରିଥିଲେ। ମ୍ୟାଚ୍ ରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩୧୪ ରନ୍ ର ବଡ଼ ସ୍କୋର କରିଥିଲେ । ଗୁରବାଜଙ୍କ ଶତକ ବ୍ୟତୀତ ଅଜମାତୁଲ୍ଲା ଉମରଜାଇ ଓ ରହମତ ଶାହ ଅର୍ଦ୍ଧଶତକ ହାସଲ କରିଥିଲେ । ଦଳ ପକ୍ଷରୁ ଉମରଜାଇ ୮୬ ରନ୍ ଯୋଡ଼ିଥିବା ବେଳେ ରହମତ୍ ଶାହା ୫୦ ରନ୍ କରିଥିଲେ ।

ଏହି ଟାର୍ଗେଟକୁ ପିଛା କରିବା ପାଇଁ ଦକ୍ଷିଣ ଆଫ୍ରିକା ଦଳ ଭଲ ଆରମ୍ଭ କରିଥିଲା । ତେବେ ଏହା ପରେ ଦଳ ମାତ୍ର ୧୩୪ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଧିନାୟକ ଟେମ୍ବା ବାଭୁମା ୩୮ ରନ୍ କରିଥିଲେ ।

Get real time updates directly on you device, subscribe now.