fbpx

IPL ଇତିହାସରେ ପ୍ରଥମ… କ୍ରିକେଟରଙ୍କ ଉପରେ ଲାଗିବ Ban: ମ୍ୟାଚ୍ ନ ଖେଳିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ରିଟେନସନ୍ ପଲିସି ଜାରି କରିସାରିଛି ବିସିସିଆଇ । ଆଗାମୀ ସିଜନ ପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜିକୁ ୬ ଖେଳାଳିଙ୍କୁ ରିଟେନ୍ ପାଇଁ ଅନୁମତି ଦେଇଛି ବିସିସିଆଇ । ଚେନ୍ନାଇ ସୁପର କିଙ୍ଗସ ସମେତ ଅନେକ ଦଳ ପାଇଁ ବଡ଼ ଖୁସି ଖବର ଦେଇଛି ବୋର୍ଡର ଏହି ଘୋଷଣା । କିନ୍ତୁ ଆଇପିଏଲ-୨୦୨୫ରେ ଏକ କଠୋର ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଜାରି ରହିଛି । ଏହି ସିଜନରୁ କିଛି ଖେଳାଳିଙ୍କୁ ବ୍ୟାନ୍ କରିବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ । କୌଣସି ଖେଳାଳି ଏହି ନିୟମ ଉଲ୍ଲଙ୍ଘନ କଲେ, ତାଙ୍କ ୨ ବର୍ଷ ପାଇଁ ଟୁର୍ଣ୍ଣାମେଣ୍ଟ ବ୍ୟାନ୍ କରାଯିବ ବୋଲି ବୋର୍ଡ ସ୍ପଷ୍ଟ କରିଛି ।

ଆଇପିଏଲ-୨୦୨୫ ପୂର୍ବରୁ ବିସିସିଆଇ ଏକ ନୂଆ ନିୟମ ପ୍ରଣୟନ କରିଛି । ରେଜିଷ୍ଟ୍ରେସନ ପରେ ଟୁର୍ଣ୍ଣାମେଣ୍ଟରୁ ଦୂରେଇ ଯାଉଥିବା ଖେଳାଳି ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନେଇଛି ବୋର୍ଡ । ଅର୍ଥାତ୍, ଯଦି କୌଣସି ଖେଳାଳି ଯଦି ମେଗା ଅକ୍ସନ ପାଇଁ ରେଜିଷ୍ଟ୍ରେସନ୍ କରନ୍ତି ଏବଂ କଣ୍ଟ୍ରାକ୍ଟ ମିଳିବା ପରେ ଆଇପିଏଳ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଉଛନ୍ତି, ତେବେ ତାଙ୍କୁ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଆଇପିଏଲରୁ ବ୍ୟାନ୍ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଭଳି କରିଥିବା ଖେଳାଳି ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବା ଉପରେ ପ୍ରତିବନ୍ଧକ ଲାଗୁ କରାଯିବ । ଏହି ନିଷ୍ପତ୍ତିକୁ ନେଇ ବେଶ୍ ଖୁସି ଜାହିର କରିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ଫଠାନ୍ ।

ଆଇପିଏଲ ଗଭର୍ଣ୍ଣିଙ୍ଗ କାଉନ୍ସିଲ ତରପରୁ କୁହାଯାଇଛି ଯେ, କେବଳ ଜଣେ ଖେଳାଳି ଆହତ କିମ୍ବା ଚିକିତ୍ସାରତ ଥିଲେ ବ୍ୟାନ୍ ହେବାରୁ ମୁକ୍ତି ପାଇପାରିବେ । କିନ୍ତୁ ସମ୍ପୃକ୍ତ ଖେଳାଳିଙ୍କ ଦେଶର କ୍ରିକେଟ ବୋର୍ଡକୁ ହିଁ ଏହାର ସ୍ପଷ୍ଟତା ଦେବାକୁ ପଡ଼ିବ । ଅର୍ଥାତ୍ ଯଦି ଜଣେ ଖେଳାଳି ଆହତ ସମସ୍ୟା ପାଇଁ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ନ ପାରନ୍ତି, ତେବେ ସେହି ଦେଶର କ୍ରିକେଟ ବୋର୍ଡ ବିସିସିଆଇକୁ ଏ ନେଇ ସ୍ପଷ୍ଟ ସୂଚନା ଦେବେ । ଏହାପରେ ସମ୍ପୃକ୍ତ ଖେଳାଳିଙ୍କୁ ବ୍ୟାନ୍ ହେବାରୁ ମୁକ୍ତି ମିଳିପାରେ ।

ବ୍ୟାନ୍ ନିୟମକୁ ନେଇ ଇରଫାନ୍ କହିଛନ୍ତି ଯେ, ବିସିସିଆଇର ଏହି ନିୟମ ବେଶ୍ ସ୍ୱାଗତଯୋଗ୍ୟ । କାରଣ ଅକ୍ସନରେ ଚୟନ ହେବା ପରେ ନିଜକୁ ଅନୁପଲବ୍ଧ କରି ରଖୁଥିବା ଖେଳାଳିଙ୍କ ଉପରେ ଏଣିକି ୨ ବର୍ଷ ବ୍ୟାନ୍ ଲାଗୁ ହେବ । ଏହି ତାଲିକାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଖେଳାଳିଙ୍କ ସଂଖ୍ୟା ଖୁବ ଅଧିକ ରହିଛି । ଅନେକ ଖେଳାଳି ପ୍ରଥମେ ରେଜିଷ୍ଟ୍ରେସନ କରାଇଥାନ୍ତି ଏବଂ ପରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଶେଷ ମୁହୂର୍ତ୍ତରେ ନିଜକୁ ଦୂରେଇ ଦେଇଥାନ୍ତି । ବୋର୍ଡର ଏହି ନୂଆ ନିୟମ ସେମାନଙ୍କୁ ଝଟକା ଦେଇଛି ।

Get real time updates directly on you device, subscribe now.