fbpx

(Video) ବାଂଲାଦେଶ ବିପକ୍ଷରେ ଜାଡେଜାଙ୍କ ‘Triple Century’… ଟେଷ୍ଟ କ୍ରିକେଟରେ ନୂଆ କାରନାମା

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଦମଦାର ବୋଲିଂ କରିଛି ଟିମ ଇଣ୍ଡିଆ । ୧୦୭-୩ରୁ ଖେଳା ଆରମ୍ଭ କରିଥିବା ବାଂଲାଦେଶ ମାତ୍ର ୨୩୩ ରନରେ ଅଲଆଉଟ ହୋଇଯାଇଛି । ଏହାର ଜବାବରେ ଟିମ ଇଣ୍ଡିଆ ଇଂଲଣ୍ଡର ବାଜବଲ କ୍ରିକେଟ ଅନ୍ଦାଜରେ ବ୍ୟାଟିଂ ଆରମ୍ଭ କରିଛି । ରୋହିଂତ, ଜଏସ୍ୱାଲ ଏବଂ ବିରାଟ କୋହଲି ବିସ୍ଫୋରକ ବ୍ୟାଟିଂ କରି ରେକର୍ଡ ଭାଙ୍ଗିବାରେ ଲାଗିଛନ୍ତି । କିନ୍ତୁ ଏହାପୂର୍ବରୁ ଏକ ବିଶାଳର ରେକର୍ଡର ଅଧିକାରୀ ହୋଇଛନ୍ତି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ବାଂଲାଦେଶ ବିପକ୍ଷ ଏହି ଟେଷ୍ଟରେ ଜାଡେଜା ଏକ ‘ଟ୍ରିପଲ ସେଞ୍ଚୁରୀ’ ହାସଲ କରିଛନ୍ତି ।

୩ ଦିନ ପର୍ଯ୍ୟନ୍ତ ଖେଳ ବନ୍ଦ ରହିବା ପରେ ଆଜି କାନପୁରରେ ଘମାଘୋଟ ଯୁଦ୍ଧ ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମେ ନିଜ ବୋଲିଂର କମାଲ ଦେଖାଇଛି । ଖତରନାକ ବୋଲିଂ ୟୁନିଟ ସହ ବାଂଲାଦେଶକୁ ଚିତପଟାଙ୍ଗ କରିବାରେ ସଫଳ ହୋଇଛି ରୋହିତ ସେନା । ଟିମ ଇଣ୍ଡିଆର ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ଏହି ମ୍ୟାଚରେ ୩ଟି ୱିକେଟ ହାସଲ କରିଥିବା ବେଳେ ସିରାଜ, ଅଶ୍ୱୀନ ଏବଂ ଆକାଶ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । କିନ୍ତୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଖାତାରେ ମାତ୍ର ଗୋଟିଏ ୱିକେଟ ରହିଛି । ଏହି ୱିକେଟ ସହ ସେ ଇତିହାସ ସୃଷ୍ଟି କରିଛନ୍ତି । ଖାଲେଦ ଅହମଦଙ୍କ ୱିକେଟ ସହ ଟେଷ୍ଟ କ୍ରିକେଟରେ ନିଜର ୩୦୦ ୱିକେଟ ହାସଲ କରିଛନ୍ତି ଜାଡେଜା ।

ଟିମ ଇଣ୍ଡିଆ ପାଇଁ ସବୁଠାରୁ କମ ବଲ(୧୭୪୨୮)ରେ ୩୦୦ ଟେଷ୍ଟ ୱିକେଟ ହାସଲ କରିଥିବା ଦ୍ୱିତୀୟ ବୋଲର ପାଲଟିଛନ୍ତି ଜାଡେଜା । ଏହାପୂର୍ବରୁ ରବିଚନ୍ଦ୍ରନ ଅଶ୍ୱୀନ ସବୁଠାରୁ କମ୍ ବଲ(୧୫୬୫୬)ରେ ଏହି କାରନାମା କରି ଦେଖାଇଛନ୍ତି । ଏହାବ୍ୟତୀତ ଟେଷ୍ଟ ଫର୍ମାଟରେ ୩୦୦୦ ରନ୍ ସହିତ ୩୦୦ ୱିକେଟ ହାସଲ କରିବାରେ ଏକାଦଶତମ ଏବଂ ଭାରତର ତୃତୀୟ କ୍ରିକେଟର ହୋଇଛନ୍ତି ରବିନ୍ଦ୍ର ଜାଡେଜା । ତାଙ୍କ ପୂର୍ବରୁ କପିଲ ଦେବ ଏବଂ ଆର ଅଶ୍ୱୀନ ଏହି ତାଲିକାରେ ନିଜ ନାମ ସାମିଲ କରି ସାରିଛନ୍ତି ।

ସେହିପରି ଭାରତ ପାଇଁ ସବୁଠାରୁ କମ୍ ମ୍ୟାଚରେ ୩୦୦ ୱିକେଟ ନେବା ମାମଲାରେ ଜାଡେଜା ହେଉଛନ୍ତି ଚତୁର୍ଥ ଖେଳାଳି । ୭୪ଟି ମ୍ୟାଚରୁ ଜାଡେଜା ଏହି ଉପଲବ୍ଧି ହାସଲ କରିଥିବା ବେଳେ ଅଶ୍ୱୀନ ୫୪ ମ୍ୟାଚ୍, ଅନିଲ କୁମ୍ବଲେ ୬୬ ଏବଂ ହରଭଜନ ସିଂହ ୭୨ଟି ମ୍ୟାଚରେ ଏହି କାରନାମା କରିଛନ୍ତି । କପିଲ ଦେବ ଏହି କାରନାମା କରିବା ପାଇଁ ୮୩ଟି ମ୍ୟାଚ ଖେଳିଥିଲେ । ଜାଡେଜା ୧୩ ଥର ଫାଇଭ ୱିକେଟ ହଲ୍ ହାସଲ କରିଥିବା ବେଳେ ୨ ଥର ୧୦ ୱିକେଟ ନେବାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.