fbpx

ଭଦ୍ରକରେ ସ୍ଥିତି ପରଖିଲେ ଡିଜିପି, କହିଲେ ସୋସିଆଲ ମିଡିଆଠୁ ଦୂରେଇ ରୁହନ୍ତୁ

ଭଦ୍ରକ: ଭଦ୍ରକ ହିଂସାର ୫ମ ଦିନରେ ପୋଲିସ ମହାନିର୍ଦ୍ଦେଶକ ଧାମନଗର ଥାନାରେ ପହଞ୍ଚି ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜନତାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି କି, ଭୟଭୀତ ହେବାର କିଛି ନାହିଁ । ସ୍ଥିତି ଧୀରେ ଧୀରେ ସୁଧୁରୁଛି । ତେବେ ଗୋଟିଏ ମିଛ ପ୍ରଚାର ବା ଗୁଜବ ସ୍ଥିତିକୁ ଆହୁରି ଜଟିଳ କରିଦେଇପାରେ । ସେସିଆଲ ମିଡିଆରେ ଗୁଜବ ପ୍ରଚାର ହେଉଛି । ତେଣୁ ସୋସିଆଲ ମିଡିଆଠାରୁ ଏବେ ଦୂରେଇ ରହିବାକୁ ଜନତାଙ୍କୁ ପରାମର୍ଶ ଦେଇଛନ୍ତି ଡିଜିପି ।

ଆଜି ପୂର୍ବାହ୍ନରେ ଡିଜିପି ୱାଇବି ଖୁରାନିଆ ଭଦ୍ରକ ହିଂସାର ସମୀକ୍ଷା କରିବାକୁ ଭଦ୍ରକ ଯାଇଥିଲେ । ଧାମନଗର ଥାନାରେ ପହଞ୍ଚିବା ପରେ ସମୀକ୍ଷା କରିଥିଲେ ସ୍ଥିତିକୁ ନେଇ । ସମୀକ୍ଷା ବୈଠକ ପରେ ଡିଜିପି ଲୋକଙ୍କୁ ସୋସିଆଲ ମିଡିଆର ଗୁଜବଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ତେବେ କେଉଁଟା ଠିକ ଓ କେଉଁଟା ଭୁଲ ତାହା ୟୁଜର୍ସଙ୍କୁ ଜଣା ନ ଥିବାରୁ ହୁଏତ ସେଥିପାଇଁ ଡିଜିପି ସାମୟିକ ସମୟ ପାଇଁ ସୋସିଆଲ ମିଡିଆଠାରୁ ଦୂରେଇ ରହିବାକୁ ଅପିଲ କରିଛନ୍ତି । ଏଥିସହ ଭୟଭୀତ ନ ହେବାକୁ ଲୋକଙ୍କୁ କହିଛନ୍ତି ଡିଜି ପୋଲିସ । ଏଥିସହ ଏବେ ପ୍ରାୟ ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବାରୁ କୌଣସି ପୋଷ୍ଟ ଉପରେ ଅଯଥା କମେଣ୍ଟ ନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ମାମଲାରେ ଏଯାବତ୍ ୫ଟି ମାମଲା ରୁଜୁ ହୋଇଥିବା ବେଳେ ମୋଟ ୨୭ ଜଣଙ୍କୁ ଗିରଫ କରାଯାଇଛି । ଆଗକୁ କେହି ହିଂସା ସୃଷ୍ଟି କଲେ ସେମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଜିପି । ଏହି ବୈଠକରେ ସ୍ଥାନୀୟ ବୁଦ୍ଧିଜୀବୀ, କେନ୍ଦ୍ରାଞ୍ଚଳ ଆଇଜି, ଭଦ୍ରକ ଏସପି ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ବର୍ତ୍ତମାନ ହିଂସା ସ୍ଥିତିରେ ସେଠାରେ ପରିବର୍ତ୍ତନ ହୋଇଛି । ଲୋକମାନଙ୍କ ସୁବିଧା ପାଇଁ ସକାଳ ୬ଟାରୁ ୮ଟା ଯାଏ ଧାରା ୧୬୩ କୋହଳ କରାଯାଉଛି । ଆସନ୍ତା ଦୁଇ ତିନି ଦିନରେ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସିଯିବ ବୋଲି ଆଜିର ସମୀକ୍ଷା ପରେ ଆଶାବାଦୀ ଅଛନ୍ତି ଡିଜିପି ।

Get real time updates directly on you device, subscribe now.