fbpx

ଟିମ ଇଣ୍ଡିଆକୁ ଝଟକା, ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେନି ଷ୍ଟାର କ୍ରିକେଟର: ଯୁବ ଖେଳାଳିଙ୍କୁ ମିଳିବ ସୁଯୋଗ?

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଐତିହାସିକ ବିଜୟର ସେଲିବ୍ରେସନ କରୁଛି ଟିମ ଇଣ୍ଡିଆ । କିନ୍ତୁ ଏହା ଭିତରେ ଦଳ ପାଇଁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ସିରିଜରୁ ବାଦ୍ ପଡ଼ିପାରନ୍ତି ଭାରତୀୟ ଦଳର ଷ୍ଟାର ଖେଳାଳି । ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏହାପୂର୍ବରୁ ଦଳ ପାଇଁ ଏକ ବଡ଼ ସମସ୍ୟା ଦେଖାଦେଇଛି । ତାଙ୍କ ସ୍ଥାନରେ କେହି ନୂଆ ଖେଳାଳିଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି ।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଷ୍ଟାର ପେସ୍ ବୋଲର ମହମ୍ମଦ ଶାମୀ ଦଳରୁ ବାଦ୍ ପଡ଼ିପାରନ୍ତି । ନେଟ୍ ସେସନରେ ବୋଲିଂ କରୁଥିବା ବେଳେ ସେ ପୁଣି ଥରେ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରୁଥିବା ଦେଖାଯାଇଛି । ତେଣୁ ଏନସିଏରେ ତାଙ୍କର ଚିକିତ୍ସା ଆରମ୍ଭ ହେବା ସହ ବିସିସିଆଇର ମେଡିକାଲ ଟିମ୍ ତାଙ୍କ ଉପରେ ନଜର ରଖିଛି । ତେବେ ଏଭଳି ଅବସ୍ଥାରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଶାମୀଙ୍କ ଖେଳିବା ନେଇ ସନ୍ଦେହ ଦେଖାଦେଇଛି । ଟେଷ୍ଟ ଦଳରେ ୟର୍କର କିଙ୍ଗ ତଥା ଟେଷ୍ଟ କ୍ରିକେଟର ସର୍ବଶ୍ରେଷ୍ଠ ମାନ୍ୟତା ପାଇଥିବା ଜଶପ୍ରୀତ ବୁମରାହ ଖେଳିବା ସୁନିଶ୍ଚିତ । ବୁମରାହଙ୍କ ସହ ମହମ୍ମଦ ସିରାଜ ପେସ୍ ବୋଲିଂର ସୂତ୍ରଧର ରହିବେ । ତାଙ୍କ ସହିତ ତୃତୀୟ ବୋଲର ଭାବେ କୌଣସି ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରିପାରେ ଟିମ ଇଣ୍ଡିଆ ।

  • ଆକାଶଦୀପ: ବର୍ତ୍ତମାନ ପେସ୍ ଆଟାକରେ ତୃତୀୟ ବିକଳ୍ପ ରହିଛନ୍ତି ଆକାଶଦୀପ । ବାଂଲାଦେଶ ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କରି ଆକାଶ ଦଳରେ ନିଜର ସ୍ଥାନ ସୁରକ୍ଷିତ କରିବାରେ ସଫଳ ହୋଇଛନ୍ତି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଶାମୀଙ୍କ ସ୍ଥାନରେ ଟିମ ଇଣ୍ଡିଆ ତାଙ୍କ ଉପରେ ଭରସା କରିପାରେ । ଏହାସହିତ ଅଷ୍ଟ୍ରେଲିଆ ପିଚରେ ଆକାଶଦୀପ ଭାରତ ପାଇଁ ସର୍ବଶ୍ରେଷ୍ଠ ବିକଳ୍ପ ହୋଇପାରନ୍ତି ।
  • ମୁକେଶ କୁମାର: ମହମ୍ମଦ ଶାମୀଙ୍କ ସ୍ଥାନରେ ଜଣେ ଭଲ ବିକଳ୍ପ ସାଜିପାରନ୍ତି ମୁକେଶ କୁମାର । ଟେଷ୍ଟ ଫର୍ମାଟରେ ମୁକେଶ କୁମାରଙ୍କ ପ୍ରଦର୍ଶନ ଖୁବ ସୁନ୍ଦର ରହିଛି । ଏହାବ୍ୟତୀତ ଅଷ୍ଟ୍ରେଲିଆ ପିଚ ମୁକେଶଙ୍କୁ ବେଶ୍ ସୁହାଇବ ବୋଲି ଆଶା କରାଯାଉଛି । ଶାମୀଙ୍କ ସ୍ଥାନ ପୂରଣ କରିବା ପାଇଁ ମୁକେଶ କୁମାର ମଧ୍ୟ ଭଲ ବିକଳ୍ପ ହୋଇପାରନ୍ତି ।
  • ଅର୍ଶଦୀପ ସିଂହ: ଟି-୨୦ ଫର୍ମାଟରେ ଅର୍ଶଦୀପ ସିଂହ ନିଜ ବୋଲିଂର ଜଲୱା ଦେଖାଇ ସାରିଛନ୍ତି । ସେହିପରି ରେଡ୍ ବଲ୍ କ୍ରିକେଟରେ ମଧ୍ୟ ତାଙ୍କ ପ୍ରଦର୍ଶନ ଭଲ ରହିଛି । ଦୁଲୀପ ଟ୍ରଫିରେ ଦମଦାର ପ୍ରଦର୍ଶନ କରି ଟିମ ଇଣ୍ଡିଆ ପାଇଁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବାକୁ ସେ ପ୍ରବଳ ଦାବିଦାର ପାଲଟିଛନ୍ତି । ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଅର୍ଶଦୀପଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିପାରେ । ତେବେ ଏହାପରେ ଶାମୀଙ୍କ ସ୍ଥାନରେ ଏହି ବାମହାତୀ ବୋଲର ଅଷ୍ଟ୍ରେଲିଆ ଗସ୍ତ କରିପାରନ୍ତି ।

Get real time updates directly on you device, subscribe now.