fbpx

Top କମ୍ପାନୀରେ ଯୁବପିଢୀଙ୍କୁ ମିଳିବ ନିଯୁକ୍ତି! Internship ପାଇଁ ପୋର୍ଟାଲ ଲଞ୍ଚ୍ କରୁଛନ୍ତି ମୋଦୀ ସରକାର

ନୂଆଦିଲ୍ଲୀ: ଅକ୍ଟୋବର ୩ ତାରିଖରେ ଭାରତର ଲକ୍ଷ ଲକ୍ଷ ଯୁବପିଢୀଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି ମୋଦୀ ସରକାର । ଦେଶରେ ବେକାରୀ ସମସ୍ୟା ହଟାଇବା ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ । ଯୁବପିଢୀଙ୍କୁ ବଡ଼ ବଡ଼ କମ୍ପାନୀ ମାନଙ୍କରେ ନିଯୁକ୍ତି ଯୋଗାଇ ଦେବା ପାଇଁ ପିଏମ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଲଞ୍ଚ୍ କରିବେ ମୋଦୀ । ଯୁବପିଢୀ ମାନଙ୍କର କୌଶଳ ଏବଂ ରୋଜଗାର କ୍ଷମତାକୁ ବୃଦ୍ଧି କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏଥିପାଇଁ ଆସନ୍ତାକାଲି ଏକ ପୋର୍ଟାଲ ଲଞ୍ଚ୍ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏହି ପୋର୍ଟାଲ ଜରିଆରେ ଦେଶର ଟପ୍ ୫୦୦ କମ୍ପାନୀରେ ଦେଶର ପ୍ରାୟ ୧ କୋଟି ଯୁବକ-ଯୁବତୀ ଇଣ୍ଟର୍ଣ୍ଣସିପ୍ ପାଇଁ ଆବେଦନ କରିବାର ସୁଯୋଗ ପାଇବେ । ପୋର୍ଟାଲ ଲଞ୍ଚ୍ ହେବା ପରେ ଦେଶର ଟପ୍ କମ୍ପାନୀ ଏଥିରେ ଇଣ୍ଟର୍ଣ୍ଣସିପ୍ ପୋଷ୍ଟ ଅପଲୋଡ କରିବେ । ଏହାପରେ ଇହି ପୋର୍ଟାଲକୁ ଯୋଗ୍ୟ ଆଶାୟୀ ଆବେଦନ କରିପାରିବେ । ଅକ୍ଟୋବର ୧୨ ତାରିଖରୁ ଏହି ପୋର୍ଟାଲ ଜରିଆରେ ଆଶାୟୀ ମାନେ ଆବେଦନ କରିପାରିବେ । ସରକାରଙ୍କ ଏହି ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଦେଶର ୩୦ ଲକ୍ଷ ଯୁବକ-ଯୁବତୀ ବିଭିନ୍ନ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ କରିପାରିବେ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ୩ ବର୍ଷ ମଧ୍ୟରେ ୭୦ ହଜାର ଯୁବକ-ଯୁବତୀ ଦକ୍ଷତା ହାସଲ କରିପାରିବେ ।

କେନ୍ଦ୍ର ବଜେଟରେ ମୋଦୀ ସରକାର ଏହି ଯୋଜନାର ଘୋଷଣା କରିଥିଲେ । ରୋଜଗାର ଏବଂ କୌଶଳ ପାଇଁ ଏହି ଯୋଜନାର ମୋଦୀଙ୍କ ପ୍ୟାକେଜର ଏକ ଅଂଶ ପାଲଟିଛି । ୫ ବର୍ଷ ମଧ୍ୟରେ ୧ କୋଟିରୁ ଅଧିକ ଯୁବକ-ଯୁବତୀଙ୍କୁ ଦକ୍ଷ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ତେବେ କୌଣସି ପୂର୍ଣ୍ଣକାଳିକ ରୋଜଗାରରେ ସାମିଲ ନଥିବା ପ୍ରାର୍ଥୀ ଏହି ଯୋଜନାରେ ସାମିଲ ହୋଇପାରିବେ । ଏହାବ୍ୟତୀତ ସେମାନଙ୍କ ପରିବାରର କୌଣସି ସଦସ୍ୟ ସରକାରୀ ଚାକିରିରେ ନିୟୋଜିତ ହୋଇ ନଥିବେ । ଆଇଆଇଏମ, ଆଇଆଇଏସଇଆର ଭଳି ପ୍ରତିଷ୍ଠିତ ସଂସ୍ଥାରୁ ସ୍ନାତକ କିମ୍ବା ସିଏ ବା ସିଏମଏ ଆଦି ଯୋଗ୍ୟତା ହାସଲ କରିଥିବା ଆବେଦକ ଏଥିରେ ସାମିଲ ହୋଇପାରିବେ ନାହିଁ ।

ଏହି ଯୋଜନାରେ ସରକାରଙ୍କ ତରଫରୁ ଇଣ୍ଟର୍ଣ୍ଣସିପ୍ କରୁଥିବା ପ୍ରାର୍ଥୀମାନଙ୍କୁ ମାସିକ ୫ ହଜାର ଟଙ୍କା ଷ୍ଟାଇପେଣ୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିରୁ ୪,୫୦୦ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରିବେ ସରକାର । ଏହାବ୍ୟତୀତ କମ୍ପାନୀ ନିର୍ଦ୍ଧାରିତ ରାଶିରୁ ଅଧିକ ଟଙ୍କା ଦେବାର ବିକଳ୍ପ ମଧ୍ୟ ଚୟନ କରିପାରନ୍ତି । କିନ୍ତୁ କୌଣସି ଅତିରିକ୍ତ ରାଶି ସେମାନଙ୍କ ସିଏସଆର ବ୍ୟୟରେ ସାମିଲ କରାଯାଇ ପାରିବ ନାହିଁ । ସେହିପରି ଆକସ୍ମିକ ଖର୍ଚ୍ଚ ବାବଦକୁ ପ୍ରତ୍ୟେକଙ୍କୁ ୬ ହଜାର ଟଙ୍କାର ବାର୍ଷିକ ଅନୁଦାନ ମଧ୍ୟ ପ୍ରଦାନ କରିବେ ।

Get real time updates directly on you device, subscribe now.