fbpx

୧୮୦କୁ ବୃଦ୍ଧି ପାଇଲା ଆମେରିକାରେ ବାତ୍ୟା ‘ହେଲେନ’ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆମେରିକାରେ ବାତ୍ୟା ହେଲେନରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୮୦କୁ ବୃଦ୍ଧି ପାଇଛି । ଦକ୍ଷିଣ-ପୂର୍ବ ଆମେରିକାର ରାଜ୍ୟଗୁଡିକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଳା ହାରିସ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ବାଇଡେନ ହେଲିକପ୍ଟର ଯୋଗେ ଉତ୍ତର ଓ ଦକ୍ଷିଣ କାରୋଲିନାକୁ ବାତ୍ୟାର କ୍ଷୟକ୍ଷତି ଦେଖିବାକୁ ଯାଇଥିଲେ ।

ହାରିସ ବୁଧବାର ଜର୍ଜିଆ ଯାଇଥିଲେ । ଏବେ ବି ଶହ ଶହ ଲୋକ ନିଖୋଜ ଅଛନ୍ତି । ଦୁର୍ଗମ ଅଂଚଳରେ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଟିମ୍ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାତ୍ୟା ପ୍ରଭାବିତ ୬ଟି ରାଜ୍ୟରେ ୬,୦୦୦ ନ୍ୟାସନାଲ ଗାର୍ଡ ସଦସ୍ୟ ଏବଂ ୪,୮୦୦ ଫେଡେରାଲ ଏଡ୍ କର୍ମୀଙ୍କୁ ସାହାଯ୍ୟ କରିବା ପାଇଁ ବାଇଡେନ ୧,୦ ସକ୍ରିୟ ସୈନ୍ୟ ପଠାଇଛନ୍ତି । ଲୋକଙ୍କୁ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି ।

ଗତ ସପ୍ତାହରେ ରିପବ୍ଲିକାନ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଜର୍ଜିଆ ଯାଇ ବାତ୍ୟାର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । ଦୁର୍ଗମ ଅଂଚଳରେ ରହୁଥିବା ଲୋକଙ୍କ ସହ ଯୋଗାଯୋଗ କରାଯାଉନାହିଁ । ବାଇଡେନ୍ ଗୁରୁବାର ଫ୍ଲୋରିଡା ଏବଂ ଜର୍ଜିଆ ଗସ୍ତ କରିବେ ବୋଲି ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ କାରିନ୍ ଜିନ୍ ପିଏରେ କହିଛନ୍ତି । ବାତ୍ୟା ହେଲେନ୍ ଗୁରୁବାର ଆମେରିକାକୁ ଆସିଛି । ଏହା ହେଉଛି ଚତୁର୍ଥ ଶ୍ରେଣୀର ବାତ୍ୟା ।

Get real time updates directly on you device, subscribe now.