fbpx

୪ ମାସର ନିରବତା ପରେ ଶକ୍ତି ସନ୍ଧାନରେ ବବି !

ଓଡିଶା ଭାସ୍କର: ପୂର୍ବତନ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବା ବବି ଦାସ କ୍ଷମତା ପାଇଁ ହେଲେଣି ହାଇଁପାଇଁ । ଗତ ଦୁଇଦିନ ହେଲା ବିଭିନ୍ନ ଗଣମାଧ୍ୟମରେ ତାଙ୍କ ମନ୍ତବ୍ୟକୁ ନେଇ ଏମିତି ଚର୍ଚ୍ଚା ଜୋର ଧରିଛି । ପରାଜୟକୁ ୪ ମାସ ନ ପୂରୁଣୁ ବବି କୁଆଡେ ଅଥୟ ହେଇପଡିଲେଣି । ସେଥିପାଇଁ କୁଆଡେ ତାଙ୍କ ଆଚରଣ, ଉଚାରଣରେ ଦେଖାଦେଇଛି ପରିବର୍ତ୍ତନ । ପୂର୍ବରୁ କଥା କମ କହୁଥିବା ବବିଙ୍କୁ ଦୀର୍ଘ ସମୟ ଧରି ବହୁ କିଛି କହିଥିବା, ତାହା ପୁଣି ଅସ୍ଥିର ହୋଇ,  ଦେଖିବା ପରେ ଏମିତି ଚର୍ଚ୍ଚା ।

ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଦେଖିବାକୁ ମିଳିନଥିଲା ବବିଙ୍କୁ । ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ବବି ଅନ୍ୟତମ ବ୍ୟକ୍ତି ଥିଲେ ବୋଲି ମଧ୍ୟ ତାଙ୍କ ଦଳୀୟ କର୍ମକର୍ତ୍ତାଙ୍କଠାରୁ ଆରମ୍ଭ କରି ରାଜନୈତିକ ବିଶେଷଜ୍ଞ କହିଥିଲେ । କିନ୍ତୁ ଏହାର ପାଲଟା ଉତ୍ତର ନ ଦେଇ ବବି ଥିଲେ ନିରବ । ହେଲେ ନିର୍ବାଚନ ହାରିବାର ୪ ମାସ ପରେ, ବିରୋଧୀ ଦଳରେ ବସିଥିବା ବିଜେଡିର ପ୍ରଥମ ଜନସମ୍ପର୍କ ପଦଯାତ୍ରା କାଳରେ ଯାଜପୁରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ବବିଙ୍କୁ ଦେଖିବାକୁ ମିଳିଥିଲା । ଖାଲି ଦେଖିବାକୁ ମିଳିନଥିଲା, ସେ ଲଗାତର ସରକାରକୁ ଆକ୍ରମଣ କରିଥିଲେ ମଧ୍ୟ । ତା ସାଙ୍ଗକୁ ସେ ଜନତାଙ୍କ ସମର୍ଥନ ଦେଖି ପୁଣି ଲଢିବେ ବୋଲି ଦେଇଥିଲେ ମନ୍ତବ୍ୟ ।

ତାଙ୍କ ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା । ବବି କୁଆଡେ କ୍ଷମତା ବିହୁନେ ମାଛ ଯେମିତି ପାଣି ବିନା ଛଟପଟ ହୁଏ, ସେମିତି ହେଉଛନ୍ତି । ସେ ଯାଜପୁରର ବିକାଶ କରିଛନ୍ତି ଓ କରୁଥିଲେ । ଯିଏ ଯେତେ ତାଙ୍କୁ ସମାଲୋଚନା କଲେ ମଧ୍ୟ ତାଙ୍କୁ କୌଣସି ଫରକ ପଡିବ ନାହିଁ । ତେବେ ବବିଙ୍କ ଏହି ମନ୍ତବ୍ୟ ସହ ତାଙ୍କ ଅଙ୍ଗଭଙ୍ଗୀକୁ ନେଇ ବିଶେଷଜ୍ଞ କହୁଛନ୍ତି, ଯେଉଁ ବବିଙ୍କୁ ୨୦୦୯ରୁ ଏଯାଏଁ ଦେଖିବାକୁ ମିଳୁଥିଲା, ତାଙ୍କଠାରେ ଆଗରୁ ଏମିତି ଭାବଭଙ୍ଗୀ, ଅସ୍ଥିରତା ଦେଖାଦେଇନଥିଲା । ସବୁ ସମୟରେ କମ କଥା କହିବାକୁ ସେ କାଳେ ପସନ୍ଦ କରୁଥିଲେ । ସଭା ସମିତିରେ ଯଥା ସମ୍ଭବ କମ କଥା କହୁଥିଲେ ।  ପରିସ୍ଥିତି ଯେମିତି ବି ଥାଉନା କାହିଁକି, ବେଶ ସ୍ଥିର, ନିଶ୍ଚଳ ଭାବଭଙ୍ଗୀ ରହୁଥିଲା ବବିଙ୍କର ।

କିନ୍ତୁ ଏବେ ତାଙ୍କ ବକ୍ତବ୍ୟ କାଳରେ ବେଶ ଉତ୍ତେଜିତ ହୋଇଉଠିଥିବା ଦେଖିବାକୁ ମିଳିଥିଲା ତାଙ୍କୁ । ଏହାକୁ ନେଇ ଶୁଣିବାକୁ ମିଳୁଛି, କ୍ଷମତାରୁ ଦୂରେଇ ଯିବା ପରେ ସେ ଅସହାୟ ହୋଇପଡିଛନ୍ତି । ଦଳ ଭିତରେ ତାଙ୍କ ବିରୋଧରେ ଚାଳିଛି ବିରୋଧାଭାଷ । କିଛି ପୁରୁଖା ନେତା ମେଳି ହେଉଛନ୍ତି ତାଙ୍କ ପକ୍ଷଛେଦନ ପାଇଁ । ହେଲେ ନବୀନଙ୍କ ଅଭୟ ହାତ ବବିଙ୍କ ମୁଣ୍ଡରେ ଥିବାରୁ କେହି କିଛି କରିପାରୁନାହାନ୍ତି । ଯାହାକୁ ନେଇ ଦଳ ଭିତରେ ନେତାଠାରୁ କର୍ମୀ, ସମସ୍ତଙ୍କ ଭିତରେ ରହିଛି ଅସନ୍ତୋଷ । ଅସନ୍ତୋଷ ପ୍ରଶମିତ କରିବାରେ ନବୀନ ପଟ୍ଟାନୟକ ବିଫଳ ହେଲେ ଦଳ ଭାଙ୍ଗିବା ନେଇ ମଧ୍ୟ ଭବିଷ୍ୟବାଣୀ କରୁଛନ୍ତି ରାଜନୈତିକ ସମୀକ୍ଷକ ।

ତେଣୁ, ବବି ଅନୁଭବ କଲେଣି, ଆଉ ନବୀନଙ୍କ ନିର୍ଦ୍ଦେଶରେ ପଛରେ ରହିଲେ ହେବ ନାହିଁ । ଯେମିତି ହେଉ, ବବିଙ୍କୁ ବିଧାନସଭାକୁ ଯିବାକୁ ହେବ । ତେବେ ଯାଇ କୁଆଡେ ସେ ନିଜ ପୂର୍ବ ପତିଆରା ବଜାୟ ରଖିପାରିବେ ଦଳରେ । ନୋହିଲେ ତାଙ୍କ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଛେଦ ପଡିଯିବ । ସେଥିପାଇଁ ସେ ନିଜ ପୂର୍ବ ଆସନକୁ ଫେରି ପାଇବାକୁ ଆପ୍ରାଣ ଚେଷ୍ଟା ଚଳାଇଥିବା କୁହାଯାଉଛି । ଏଥିପାଇଁ ଜନତାଙ୍କ ମୁଡ ପରଖିଥିବା ଶୁଣିବାକୁ ମିଳୁଛି

Get real time updates directly on you device, subscribe now.