fbpx

ହରିୟାଣା ବିଧାନସଭା ନିର୍ବାଚନ: ୩୨ଟି ଆସନ ଉପରେ ସଭିଙ୍କ ନଜର, ଏହି ଆସନରେ ଯିଏ ଜିତିବ, ସରକାର ସିଏ ଗଢ଼ିବ!

ନୂଆଦିଲ୍ଳୀ: ଆସନ୍ତାକାଲି ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନର ମତଦାନ ଗ୍ରହଣ କରାଯିବ । ଏହାପରେ ୮ ତାରିଖରେ ଫଳାଫଳ ଘୋଷଣା କରାଯିବ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କଂଗ୍ରେସ କଡ଼ା ଟକ୍କ୍ର ଦେଇଥିବାରୁ ହରିୟାଣାରେ ଏଥର ମଧ୍ୟ ଏହି ଦୁଇ ଦଳ ମଧ୍ୟରେ କାଣ୍ଟେ କା ଟକ୍କର ଦେଖିବାକୁ ମିଳିବ । ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପିକୁ ୪୦ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ୩୧ଟି ଓ ଜେଜେପିକୁ ୧୦ଟି ଆସନ ମିଳିଥିଲା । ତେଣୁ ଗତ ଥର ପରି କଂଗ୍ରେସ ଏଥର ମଧ୍ୟ କଡ଼ା ଟକ୍କର ଦେବା ସହ ସରକାର ଗଠନ ଲକ୍ଷ୍ୟରେ ରହିଛି ।

ଗତ ନିର୍ବାଚନରେ ୩୨ଟି ଆସନରେ କଡ଼ା ଟକ୍କର ହୋଇଥିବା ବେଳେ ଏଥର ୨୫ଟି ଆସନରେ ସମାନ ସ୍ଥିତି ଦେଖିବାକୁ ମିଳିପାରେ । ଏହି ୩୨ଟି ଆସନରେ ବିଜୟ-ପରାଜୟର ବ୍ୟବଧାନ ୧୦ ହଜାରରୁ ଭୋଟରୁ କମ୍ ରହିଥିଲା । ସେହିପରି ୨୫ଟି ଆସନରେ ଏହି ବ୍ୟବଧାନ ୫ ହଜାରରୁ କମ୍ ରହିଥିଲା । ୩ଟି ଆସନରେ ବ୍ୟବଧାନ ୧ ହଜାରରୁ କମ୍ ରହିଥିଲା । ତେଣୁ ଏହି ସିଟଗୁଡ଼ିକରେ ଭୋଟ ହାରରେ ସାମାନ୍ୟ ହ୍ରାସ-ବୃଦ୍ଧି ନିର୍ବାଚନକୁ ପ୍ରଭାବିତ କରିବା ସହ ସରକାର ମଧ୍ୟ ବଦଳାଇ ଦେଇପାରେ ।

ତେବେ ଏଥର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନେ ପଦ୍ମ ଓ ହାତର ଅକଲ ଗୁଡ଼ୁମ୍ କରିପାରନ୍ତି । ବିଭିନ୍ନ ଆସନରେ ସ୍ୱାଧୀନ ପ୍ରାର୍ଥୀମାନେ ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବାର ସମ୍ଭାବନା ରହିଛି । ତେଣୁ ଏହାକୁ ନେଇ ଦୁଇ ଦଳ ଏବେ ଚିନ୍ତିତ ରହିଛନ୍ତି । ତେବେ ଜନତା ଜନାର୍ଦ୍ଦଙ୍କ ମୁଡ଼ କ’ଣ ତାହା କହିବା ମୁସ୍କିଲ । ତେଣୁ ଫଳାଫଳ ନ ଆସିବା ପର୍ଯ୍ୟନ୍ତ କିଛି ଆକଳନ କରିବା କଷ୍ଟକର । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ବେଳେ କଂଗ୍ରେସ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ । ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ବରିଷ୍ଠ ନେତା ରାହୁଲ ଗାନ୍ଧୀ କଂଗ୍ରେସକୁ କ୍ଷମତାସୀନ କରାଇବାକୁ ପ୍ରାଣପଣେ ଲାଗି ପଡ଼ିଛନ୍ତି ।

ଜାଟଲ୍ୟାଣ୍ଡ ଓ ପଶ୍ଚିମୀ ହରିୟାଣା ବେଲ୍ଟରେ କଂଗ୍ରେସର ସ୍ଥିତି ସୁଦୃଢ଼ ରହିଥିବା ବେଳେ ଜୀଟି ରୋଡ଼ ବେଲ୍ଟ ଓ ଦକ୍ଷିଣ ହରିୟାଣା ଅଞ୍ଚଳରେ ବିଜେପିର ସ୍ଥିତି ମଜବୁତ ରହିଛି । ଯେଉଁ ଦଳ ଅନ୍ୟ ଦଳର ଦୁର୍ଗରେ ପଶି କିଛି ଗଡ଼ବଡ଼ କରିପାରିବ ସେହି ଦଳ ଅଧିକ ଫାଇଦା ପାଇବ । ଏହା ନିର୍ବାଚନୀ ସମୀକରଣକୁ ବଦଳାଇବାର ସାମର୍ଥ୍ୟ ରଖିବ । ଗୋଟିଏ ପଟେ ବିଜେପି ହ୍ୟାଟ୍ରିକ ଅର୍ଜନ କରିବା ଲକ୍ଷ୍ୟରେ ରହିଥିବା ବେଳେ ଗତ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା କଂଗ୍ରେସ ମଧ୍ୟ କିଛି ଭଲ କରିବା ନେଇ ଆଶାବାଦୀ ରହିଛି ।

ତେବେ ଏଥର ସ୍ୱାଧୀନ ପ୍ରାର୍ଥୀ ଓ ଛୋଟ ଦଳର ପ୍ରାର୍ଥୀମାନେ ବଡ଼ ଦଳର ପ୍ରାର୍ଥୀଙ୍କ ପାଇଁ କଣ୍ଟା ସାଜିବାର ସମ୍ଭାବନା ରହିଛି । ୨୦୦୯ରେ ସେମାନେ ୩୦ ପ୍ରତିଶତ ଭୋଟ ଶେୟାର ସହିତ ୧୫ଟି ଆସନରେ ଜିତିଥିବା ବେଳେ ୨୦୧୯ରେ ତାହା ୧୮ ପ୍ରତିଶତକୁ ହ୍ରାସ ପାଇ ୮ଟି ଆସନରେ ପହଞ୍ଚି ଥିଲା । ବିଧାନସଭା ଆସନର ପାଖାପାଖି ୫୦ ପ୍ରତିଶତ ଆସନରେ ଏହି ପ୍ରାର୍ଥୀମାନେ ଦବଦବା ଜାହିର କରିଥିଲେ । ସେହିପରି ଆମ୍ ଆଦମୀ ପାର୍ଟି (ଆପ) ଏଥର ରାଜ୍ୟ ରାଜନୀତିରେ ପଦାର୍ପଣ କରିବାକୁ ଯାଉଥିବାରୁ ଏହା ମଧ୍ୟ କଂଗ୍ରେସ ଓ ବିଜେପି ପାଇଁ ବଡ଼ ଚିନ୍ତାର ବିଷୟ । ଦିଲ୍ଲୀ ମଡେଲ ଆଧାରର ଆପ୍ କିଛି ଆସନ ହାତେଇବା ଲକ୍ଷ୍ୟରେ ରହିଛି । ଏହା ମଧ୍ୟରେ ବିଜେପି ଓ କଂଗ୍ରେସରେ ବିଦ୍ରୋହୀ ପ୍ରାର୍ଥୀଙ୍କ ଆବିର୍ଭାବ ଦେଖିବାକୁ ମିଳିଥିବାରୁ ତାହା ମଧ୍ୟ ଦୁଇ ଦଳଙ୍କ ଚିନ୍ତା ବଢ଼ାଇ ଦେଇଛି ।

Get real time updates directly on you device, subscribe now.