fbpx

IND vs BAN; କିଏ ରହିବ, କିଏ ବାଦ୍ ପଡ଼ିବ? ଦ୍ୱନ୍ଦ୍ୱରେ ଅଧିନାୟକ ସୂର୍ଯ୍ୟକୁମାର, କେମିତି ବାଛିବେ Playing-11?

ନୂଆଦିଲ୍ଲୀ: ଆଜି ଗ୍ୱାଲିୟରରେ ଭାରତ-ବାଂଲାଦେଶ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଏହି ସିରିଜ ପାଇଁ ଟି-୨୦ ସୁପରଷ୍ଟାର ସୂର୍ଯ୍ୟକୁମାର ଯାଦବଙ୍କ ଦଳର ନେତୃତ୍ୱ ଦେଇଛି ଟିମ ଇଣ୍ଡିଆ । ଏହାବ୍ୟତୀତ ଗିଲ୍‌, ଯଶସ୍ୱୀ, ବୁମରାହ ଏବଂ ସିରାଜଙ୍‌କ ଭଳି ଷ୍ଟାର ଖେଳାଳିଙ୍କୁ ସିରିଜରେ ବିଶ୍ରମ ଦିଆଯାଇଛି । ଏହି ସ୍ଥାନରେ ଅନେକ ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ପ୍ରଥମ ମ୍ୟାଚରେ ସୂର୍ଯ୍ୟକୁମାର କେମିତି ବାଛିବେ ପ୍ଲେଇଙ୍ଗ-୧୧? ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି । ଆସନ୍ତୁ ଦେଖିବା କ’ଣ ରହିପାରେ ପ୍ଲେଇଙ୍ଗ-୧୧?

ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ରେଗୁଲାର ଓପନର ଭାବରେ କେବଳ ଅଭିଶେକ ଶର୍ମାଙ୍କୁ ଚୟନ କରିଛି । ତେଣୁ ସୂର୍ଯ୍ୟକୁମାରଙ୍କ ପାଇଁ ଦଳର ଓପନିଙ୍‌ଗ କମ୍ବିନେସନକୁ ନେଇ ସବୁଠୁ ବଡ଼ ପ୍ରଶ୍‌ନ ରହିଛି । ଟି-୨୦ ସିରିଜରେ ଅଭିଶେକଙ୍କ ସହ ଓପନିଙ୍‌ଗ କରିବେ କିଏ? ତେଣୁ ଏହି ମ୍ୟାଚ୍ ପାଇଁ ଭାରତର ପ୍ଲେଇଙ୍ଗ-୧୧ ବେଶ୍ ରୋମାଞ୍ଚକର ରହିବ ବୋଲି କୁହାଯାଉଛି । ଏହାବ୍ୟତୀତ ସ୍ପିଡ ଷ୍ଟାର ମୟଙ୍କ ଯାଦବ ଆଜିର ମ୍ୟାଚରେ ଡେବ୍ୟୁ କରିପାରନ୍ତି । ସେହିପରି ୩ ବର୍ଷ ପରେ ଦଳକୁ କମବ୍ୟାକ କରୁଥିବା ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଦଳରେ ସ୍ଥାନ ପାଇପାରନ୍ତି । ଏହାବ୍ୟତୀତ ରବି ବିଷ୍ଣୋଇ ଏବଂ ୱାଶିଂଟନ୍ ସୁନ୍ଦର ଖୁବ ଆଗରେ ରହିଛନ୍ତି । ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ଆହତ ଯୋଗୁଁ ଦଳରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ତିଲକ ବର୍ମାଙ୍କୁ ସାମିଲ କରାଯାଇଛି । ତେଣୁ ପ୍ଲେଇଙ୍ଗ-୧୧ ଚୟନ କରିବା ସୂର୍ଯ୍ୟକୁମାରଙ୍କ ପାଇଁ ବଡ଼ ସମସ୍ୟା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ପ୍ରଥମ ପ୍ରଶ୍ନ ହୋଇ ରହିଛି ଦଳର ଓପନିଙ୍ଗ କମ୍ପିନେସନ । ତେବେ ୱିକେଟ କିପର ସଞ୍ଜୁ ସାମସନଙ୍କୁ ଏହି ଦାୟିତ୍ୱ ଦିଆଯାଇପାରେ ବୋଲି ଆଶା କରାଯାଉଛି । ଅଭିଶେକଙ୍କ ସହ ସଞ୍ଜୁ ପାଳି ଆରମ୍ଭ କରିବାକୁ ମଇଦାନକୁ ଆସିପାରନ୍ତି । ସେହିପରି ଅର୍ଶଦୀପ ସିଂହଙ୍କ ସହ ମୟଙ୍କ ଯାଦବ ପେସ୍ ୟୁନିଟରେ ପ୍ରମୁଖ ଭୂମିକା ତୁଲାଇପାରନ୍ତି । ତେବେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପେସ୍ ୟୁନିଟର ଦ୍ୱିତୀୟ ଏବଂ ଶ୍ରେଷ୍ଠ ବିକଳ୍ପ ଭାବରେ ଦଳରେ ସାମିଲ ରହିଛନ୍ତି । ମଧ୍ୟକ୍ରମରେ ତିଲକ ବର୍ମା, ରିଙ୍କୁ ସିଂହ ଏବଂ ଅନ୍ୟ ଖେଳାଳିଙ୍କୁ ଦଳରେ ସୁଯୋଗ ଦେଇପାରନ୍ତି ସୂର୍ଯ୍ୟକୁମାର ।

ବାଂଲାଦେଶ ବିପକ୍ଷରେ ସମ୍ଭାବ୍ୟ ଟିମ ଇଣ୍ଡିଆ: ଅଭିଶେକ ଶର୍ମା, ସଞ୍ଜୁ ସାମସନ୍‌, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ୍ ପରାଗ, ରିଙ୍କୁ ସିଂହ, ୱାଶିଂଟନ୍ ସୁନ୍ଦର/ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ମୟଙ୍କ ଯାଦବ

Get real time updates directly on you device, subscribe now.