fbpx

ଆଜିଠାରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ, ଓଡ଼ିଆ ଭାଇ ଭଉଣୀଙ୍କୁ ଦଳରେ ସାମିଲ ହେବା ପାଇଁ ଆହ୍ୱାନ କରିଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଶଙ୍ଖ ଭବନରୁ ଏହି ଅଭିଯାନ ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବର୍ତ୍ତମାନ ଦଳରେ ମୋଟ୍ ସକ୍ରିୟ ସଭ୍ୟ ସଂଖ୍ୟା ପ୍ରାୟ ୪ ଲକ୍ଷ ରହିଛି । ତେବେ ଦଳକୁ ଅଧିକ ସୁଦୃଢ଼ କରିବା ଲକ୍ଷ ନେଇ ପ୍ରତ୍ୟେକ ବର୍ଗର ଲୋକଙ୍କୁ ବିଜେଡି ସହ ଜୋଡ଼ି ହେବାକୁ ଆହ୍ୱାନ ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ଆସନ୍ତା ୨ ମାସ ଯାଏଁ ଚାଲିବ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ।

ନିର୍ବାଚନ ପରାଜୟ ପରେ ବିଜୁ ଜନତା ଦଳର ପ୍ରଥମ ସଦସ୍ୟତା ଅଭିଯାନ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରାଯାଇଛି । ବିଜେଡି ସଭାପତି ଭାବେ ନବୀନ ପଟ୍ଟନାୟକ ପ୍ରଥମ ସଦସ୍ୟତା ଗ୍ରହଣ କରିଛନ୍ତି । ଡିଜିଟାଲି ଏବଂ ଫିଜିକାଲି ଲୋକଙ୍କ ପାଖକୁ ଯାଇ ବିଜେଡି ସଦସ୍ୟତା ସଂଗ୍ରହ କରିବେ । ଶାସକ ଦଳରେ ଥିବା ବେଳେ ଯେପରି ସଦସ୍ୟତା କାର‌୍ୟକ୍ରମ ହେଉଥିଲା ବର୍ତ୍ତମାନ ବିରୋଧୀ ଦଳ ଭୂମିକାରେ ତା ଠାରୁ ବ୍ୟାପକ କରାଯିବ । ପୂର୍ବରୁ ଏକ କୋଟି ସଦସ୍ୟତା ଗ୍ରହଣ କରାଯାଇଥିବା ବେଳେ ଏଥର ୧ କୋଟିରୁ ଉର୍ଦ୍ଧ୍ୱ ସଦସ୍ୟତା ପାଇଁ ବିଜେଡି ପ୍ରସ୍ତୁତ ହୋଇଛି । ସମସ୍ତ ସାଂଗଠାନିକ ଜିଲ୍ଲା ଭର୍ଚୁଆଲ ମଧ୍ୟମରେ ଯୋଡ଼ିହୋଇ ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ ।

ସଦସ୍ୟତା ସଂଗ୍ରହ ଶୁଭାରମ୍ଭ ଅବସରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ, ‘ସଦସ୍ୟତା ଅଭିଯାନ ଗୋଟେ ରାଜନୈତିକ ଦଳ ପ୍ରମୁଖ କାର୍ଯ୍ୟକ୍ରମ । ଏହା ଦଳକୁ ଅଧିକ ମଜବୁତ କରେ । ମୁଁ ଚାହେଁ ଆମ ଦଳର ସକ୍ରିୟ ସଦସ୍ୟମାନେ ପ୍ରତି ଘରକୁ ଯାଆନ୍ତୁ । ଆମ ସରକାର ସମୟର କାମକୁ ପ୍ରତି ଘରେ, ଦେଶ ଓ ବିଦେଶରେ ପହଞ୍ଚାନ୍ତୁ । ବିଦେଶରେ ଥିବା ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୁଁ ଅନୁରୋଧ କରୁଛି ବିଜେଡିର ସଦସ୍ୟତା ଅଭିଯାନରେ ସାମିଲ ହୁଅନ୍ତୁ । ବିଦେଶରେ ଥିବା ପ୍ରବାସୀଙ୍କୁ ମଧ୍ୟ ଅନଲାଇନ ଜରିଆରେ ସାମିଲ କରିବା ପାଇଁ ଆହ୍ୱାନ କରିଛନ୍ତି ।’ ସେ ଆହୁରି ମଧ୍ୟ କହିଛନ୍ତି କି ବିଜେଡି ସରକାର ସମୟରେ ବହୁତ ଭଲ କାମ ହୋଇଛି । କେନ୍ଦ୍ର ସରକାର ବିଜେଡିର ଅନେକ ଯୋଜନାକୁ ଗ୍ରହଣ ମଧ୍ୟ କରିଛନ୍ତି । ବିଜେପିକୁ ପରୋକ୍ଷରେ ଟାର୍ଗେଟ କରି କହିଛନ୍ତି କିଛି ଦଳ ମିସ କଲ ମାରି ସଦସ୍ୟ ସଂଗ୍ରହ କରୁଛନ୍ତି । କିନ୍ତୁ ଆମେ ମିସ କଲ ମାରି ସଦସ୍ୟତା ସଂଗ୍ରହ କରୁନୁ । ତା’ଠୁ ଆମେ ଉର୍ଦ୍ଧ୍ୱରେ ବୋଲି କହିଛନ୍ତି ନବୀନ ।

Get real time updates directly on you device, subscribe now.