fbpx

(Video) ପଛରେ ରହିଗଲେ ବିରେନ୍ଦ୍ର ସେହୱାଗ: ମୁଲତାନର ନୂଆ ସୁଲତାନ୍ ବନିଲେ ହ୍ୟାରି ବ୍ରୁକ

ନୂଆଦିଲ୍ଲୀ: ଆଜି ପର୍ଯ୍ୟନ୍ତ ‘ମୁଲତାନ କା ସୁଲତାନ୍’ କହିଲେ ଟିମ ଇଣ୍ଡିଆର ପୂର୍ବତନ ଓପନର ବିରେନ୍ଦ୍ର ସେହୱାଗଙ୍କୁ ବୁଝାଯାଏ । କିନ୍ତୁ ଆଜିଠାରୁ ଏହି ସଂଜ୍ଞା ବଦଳି ଯାଇଛି । ଆଜିଠାରୁ ଇଂଲଣ୍ଡର ହ୍ୟାରି ବ୍ରୁକଙ୍କ ନାମରେ ଏହି ଟ୍ୟାଗ୍ ଲାଗିଛି । ପାକିସ୍ତାନ ବିପକ୍ଷ ମୁଲତାନ ଟେଷ୍ଟରେ ବିସ୍ଫୋରକ ତ୍ରି-ଶତକ ହାସଲ କରି ବ୍ରୁକ ସେହୱାଗଙ୍କ ପାଖରୁ ଏହି ରେକର୍ଡ ଚୋରେଇ ନେଇଛନ୍ତି । ୩୧୭ ରନର ଐତିହାସିକ ଇନିଂସ ଖେଳି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି ହ୍ୟାରି ବ୍ରୁକ । ହ୍ୟାରି ବ୍ରୁକଙ୍କ ଏହି ଇନିଂସ ସହ ଜୋ ରୁଟଙ୍କ ୨୬୨ ରନର ପାଳି ପାକିସ୍ତାନ ବିପକ୍ଷରେ ଏକ ଅଜେୟ ସ୍କୋର ଠିଆ କରିଛି । ପାକିସ୍ତାନର ୫୫୬ ରନ୍ ବଦଳରେ ଇଂଲଣ୍ଡ ୮୨୩ ରନର ବିଶାଳ ସ୍କୋର କରିପାଳି ଘୋଷଣା କରିଛି ।

ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ ଖେଳିଛନ୍ତି । ମ୍ୟାଚର ଚତୁର୍ଥ ଦିନରେ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଥିବା ବେଳେ ପରେ ଏହାକୁ ଏକ ଐତିହାସିକ ତ୍ରିଶତକରେ ପରିଣତ କରି ଦେଖାଇଛନ୍ତି ହ୍ୟାରି ବ୍ରୁକ । ୩୨୨ ବଲରୁ ୩୧୭ ରନର ଏକ ଐତିହାସିକ ଇନିଂସ ଖେଳିଛନ୍ତି ହ୍ୟାରି ବ୍ରୁକ । ଏହି ଇନିଂସରେ ୨୯ଟି ଚୌକା ଏବଂ ୩ଟି ଛକା ସାମିଲ ରହିଛି । ଏହି ଇନିଂସ ସହ ମୁଲତାନ ଆଉ ଏକ ଐତିହାସିକ ଇନିଂସର ସାକ୍ଷୀ ପାଲଟିଛି । ଏହାପୂର୍ବରୁ ମୁଲତାନ ଷ୍ଟାଡିୟମରେ ଭାରତର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ ତ୍ରିଶତକ(୩୦୯) ହାସଲ କରି ‘ମୁଲତାନ କା ସୁଲତାନ’ ଟ୍ୟାଗ୍ ପାଇଥିଲେ । ତେବେ ଆଜି ଏହି ଗ୍ରାଉଣ୍ଡରେ ହ୍ୟାରି ବ୍ରୁକ ସେହୱାଗଙ୍କୁ ପଛରେ ପକାଇ ମୁଲତାନର ନୂଆ ସୁଲତାନ ପାଲଟିଛନ୍ତି ।

ଇଂଲଣ୍ଡ ତରଫରୁ ତ୍ରିଶତକ ହାସଲ କରିବାରେ ଷଷ୍ଠ ଖେଳାଳି ପାଲଟିଛନ୍ତି ହ୍ୟାରି ବ୍ରୁକ । ଏହି ଐତିହାସିକ ଇନିଂସ ସହ ଏକାଧିକ ରେକର୍ଡ ସେ ନିଜ ନାମରେ କରିଛନ୍ତି । ଜୋ ରୁଟଙ୍କ ସହ ମିଶି ୪୫୪ ରନର ବିଶାଳ ପାର୍ଟନରସିପ୍ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଜୋ ରୁଟ ମଧ୍ୟ ଏହି ମ୍ୟାଚରେ ଦମଦାର ଦ୍ୱିଶତକ(୨୬୨) ହାସଲ କରିଛନ୍ତି । ସବୁଠାରୁ ଦ୍ରୁତତମ ଶତକ ଭାବରେ ରେକର୍ଡ ନିଜ ନାମରେ କରିଛନ୍ତି ହ୍ୟାରି ବ୍ରୁକ । ପ୍ରଥମ ପାଳିରେ ହ୍ୟାରି ବ୍ରୁକଙ୍କ ତ୍ରିଶତକ ଏବଂ ଜୋ ରୁଟଙ୍କ ଦ୍ୱିଶତକ ସହ ଇଂଲଣ୍ଡ ୮୨୩ ରନ୍ କରି ପାଳି ଘୋଷଣା କରିଛି ଇଂଲଣ୍ଡ ।

Get real time updates directly on you device, subscribe now.