fbpx

ପୂଜାରେ ବଢ଼ିବ ମହଙ୍ଗା ଭତ୍ତା: ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେବେ କେନ୍ଦ୍ର ସରକାର!

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁର ଆଗମନ ହୋଇସାରିଥିବା ବେଳେ ଦୁର୍ଗାପୂଜା ପରେ କାଳୀପୂଜା, ଗଜଲକ୍ଷ୍ମୀ ପୂଜା ଆଦି ମହାଧୁମଧାମରେ ପାଳିତ ହେବ । ତେବେ ପୂଜା ଅବସରରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଦେଇପାରନ୍ତି ଏକ ବଡ଼ ଉପହାର । ସାଧାରଣ ଭାବେ କେନ୍ଦ୍ର ସରକାର ଜାନୁଆରୀ ଓ ଜୁଲାଇ ମାସରେ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିଥାନ୍ତି । ଗତ ୯ ତାରିଖରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିବା ବେଳେ ସେହି ଅବସରରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ତେଣୁ ଚଳିତ ପାର୍ବଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।

କେନ୍ଦ୍ର ସରକାର ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ଡିଏ ଓ ଡିଅରନେସ୍ ଆଲାଉନ୍ସ (ଡିଆର) ବୃଦ୍ଧି ଘୋଷଣା କରିପାରନ୍ତି । କେନ୍ଦ୍ର କ୍ୟାବିନେଟ ବୈଠକରେ ପରେ ଏବେ ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଥିବା ବେଳେ କର୍ମଚାରୀଙ୍କ ଉତ୍ସାହ ବହୁଗୁଣିତ ହୋଇସାରିଛି । ସାରା ଦେଶର ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରରେ ଡିଏ ନିର୍ଦ୍ଧାରଣ କରାଯାଇଥାଏ । ଏକ ରିପୋର୍ଟ ମୁତାବକ, ଏଥର କେନ୍ଦ୍ର ସରକାର ୩ ପ୍ରତିଶତ ଡିଏ ବୃଦ୍ଧି କରିପାରନ୍ତି । ଏପରି ହେଲେ କର୍ମଚାରୀଙ୍କର ମୋଟ ଡିଏ ୫୩ ପ୍ରତିଶତରେ ପହଞ୍ଚିଯିବ । ଏହା ପୂର୍ବରୁ କେନ୍ଦ୍ର ସରକାର ଗତ ମାର୍ଚ୍ଚରେ ୪ ପ୍ରତିଶତ ଡିଏ ବୃଦ୍ଧି କରିଥିଲେ । ଡିଏ ଓ ଡିଆର ବୃଦ୍ଧି ଘୋଷଣାରେ ବିଳମ୍ବ ହେତୁ ଏହାକୁ ନେଇ କର୍ମଚାରୀ ଓ ଶ୍ରମିକ ମହାସଂଘ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟକୁ ଚିଠି ଲେଖାଯାଇଥିଲା । ତେଣୁ କେନ୍ଦ୍ର ସରକାର ଯଥାଶୀଘ୍ର ଏନେଇ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ।

Get real time updates directly on you device, subscribe now.