(Video) ବଢୁଛି ବାତ୍ୟା ଭୟ! ଅଧିକ ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ, ଏହି ସ୍ଥାନରେ କରିପାରେ ଲ୍ୟାଣ୍ଡଫଲ୍

ଭୁବନେଶ୍ବର(ଓଡିଶା ଭାସ୍କର): ବାତ୍ୟାକୁ ନେଇ ଲୋକେ ଆଶା ଆଶଙ୍କାରେ ରହିଥିବା ବେଳେ ବର୍ତ୍ତମାନ ଅଧିକ ଘନିଭୂତ ହେବାରେ ଲାଗିଛି ଘୂର୍ଣ୍ଣିବଳୟ ।  ତେବେ ଘୂର୍ଣ୍ଣିବଳୟ ସହିତ ବାଦଲ ସମୂହର ଏକତ୍ରୀକରଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଇଥିବା ବେଳେ ଏହାର ପ୍ରଭାବରେ ଆସନ୍ତାକାଲି(ସୋମବାର) ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇନଥିଲେ ହେଁ ଆସନ୍ତା 23ରୁ 25 ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ଆଞ୍ଚଳିକ ପାଣପାଗ କେନ୍ଦ୍ର ।

ସୂଚନା ଅନୁସାରେ, ଶନିବାର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳଏେ ଆସନ୍ତାକାଲି ଭିତରେ ଏହା ବଳ ଗୋଟାଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଏହାପରେ ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅଧିକ ଘନିଭୂତ ହୋଇ 23 ତାରିଖ ବେଳକୁ ଅବପାତର ରୂପ ନେଇପାରେ । ବାତ୍ୟା ହେବ କି ନାହିଁ, ଯଦି ବାତ୍ୟା ହୁଏ ଏହାର ଦିଗ କଣ ରହିବ, କେତେ ଶକ୍ତିଶାଳୀ ହେବ ଏଭଂ ପବନର ବେଗ କେତେ ରହିବ ସେନେଇ ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କରାଯାଇ ନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏହାର ଗତିପଥ ନିର୍ଦ୍ଧାରଣ କରାଯିବ । 21 ତାରଖରୁ ସମୁଦ୍ର ଅଶାନ୍ତ ରହିବାକୁ ଥିବା ବେଳେ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ଗଭୀର ସମୁଦ୍ରରେ ରହିଛନ୍ତି, ସେମାନଙ୍କୁ ଫେରି ଆସିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।