SRCଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା: ବାତ୍ୟା ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍, ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରି-ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ସେନେଇ ଜନସାଧାରଣ ଆଦୌ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଜିରୋ କାଜୁଆଲିଟି ପାଇଁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଏନେଇ ପ୍ରଶାସନକୁ ସହଯୋଗ କରିବାକୁ କୁହାଯାଇଛି । ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ାଯିବ । ବାତ୍ୟା ସମୟରେ ଅଧିକାରୀମାନଙ୍କର ଦାୟିତ୍ୱ ବଢ଼ିଯିବ । ତେଣୁ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଆଜି ସମସ୍ତ ସରକାରୀ ଅଧିକାରୀଙ୍କର ଛୁଟି ବାତିଲ୍ କରିଦେଇଛନ୍ତି । ଅନ୍ୟପକ୍ଷରେ ସ୍କୁଲ ଛୁଟି ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ଗ୍ରହଣ କରିବେ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ବାବଦରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇପାରେ । ଏହାପରେ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ମୁହାଁ ହୋଇ ଅବପାତ ବାତ୍ୟାରେ ପରିଣତ ହୋଇପାରେ । ୨୩ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ରାଜ୍ୟର ପୁରୀ, ଗଞ୍ଜାମ, ଜଗତସିଂହପୁରରେ ବର୍ଷାର ପ୍ରଭାବ ଅଧିକ ରହିବ । ୨୩ରୁ ୨୫ ପର୍ଯ୍ୟନ୍ତ ପ୍ରବଳରୁ ଅତି ବର୍ଷା ହେବ । କେନ୍ଦ୍ରାପଡ଼ା, କଟକ, ନୟାଗଡ଼, କନ୍ଧମାଳ, ଗଜପତି ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ସମ୍ଭାବ୍ୟ ବାତ୍ୟା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ର ଭିତରେ ରହିଛନ୍ତି ସେମାନେ ଫେରିଆସିବାକୁ କୁହାଯାଇଥିବା ଏସଆରସି ସୂଚନା ଦେଇଛନ୍ତି ।