ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର କରାଯିବ: ପଶୁ ସମ୍ପଦ ମନ୍ତ୍ରୀଙ୍କ ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ ଘିଅ । ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ପ୍ରତିଦିନ ୮-୧୦ ଟନ୍ ଘିଅ ଉତ୍ପାଦନ ହେଉଥିବା ବେଳେ ଶ୍ରୀମନ୍ଦିରରେ ୩-୪ ଟନ୍ ବ୍ୟବହାର ହେଉଛି । ଘିଅ ଦାମ୍ ବଜାରରେ ୭୨୦ ଟଙ୍କା ରହିଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଲିଟର ପିଛା ୫୪୩ ଟଙ୍କାରେ ଯୋଗାଇ ଦିଆଯିବ । ସେହିପରି ୧୫ ଲିଟର ଟିଣ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି, ଯାହାର ମୂଲ୍ୟ ୫୩୩ ଟଙ୍କା ରହିବ । ଶ୍ରୀମନ୍ଦିରରେ ସୁଦ୍ଧ ଓମଫେଡ ଘିଅ ବ୍ୟବହାର କରାଯିବ । ଶ୍ରୀମନ୍ଦିର ପାଇଁ ଘିଅର ସ୍ୱତନ୍ତ୍ର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଶ୍ରୀମନ୍ଦିରରେ ଯେତେ ଘିଅ ଲାଗିବ ତାହା ଓମଫେଡ ଘିଅ ଲାଗିବ । ସମସ୍ତ ମନ୍ଦିରରେ ସୁଦ୍ଧ ଓମଫେଡ ଘିଅ ବ୍ୟବହାର ନେଇ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ନିକଟରେ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ଓମଫେଡକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠି ଲେଖିଥିଲେ । ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର କରାଯିବ ବୋଲି ଓମଫେଡ ପରିଚାଳନା ନିର୍ଦ୍ଦେଶକ (ଏମଡି)ଙ୍କୁ ଚିଠି ଲେଖାଯାଇଥିଲା । ଏଥିସହିତ ଘିଅ ଦାମ୍ ହ୍ରାସ ପାଇ ନିଯୋଗ ଅନୁରୋଧ କରିଥିବା ନେଇ ପ୍ରଶାସକ ଜଣାଇଥିଲେ । ଅନ୍ୟ ଘିଅ ଶ୍ରୀମନ୍ଦିରରେ ନିଷେଧ ହେବ ଓ କେହି ମନ୍ଦିର ଭିତରକୁ ଅନ୍ୟ ଘିଅ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ।

Get real time updates directly on you device, subscribe now.