ମାଡି ଆସୁଛି ଦାନା, ଜାଣନ୍ତୁ ବାତ୍ୟା କାହିଁକି ଓ କିପରି ହୁଏ

ନୂଆଦିଲ୍ଲୀ:  ଆଜି ଅବପାତ ବାତ୍ୟାରେ ପରିଣତ ହୋଇଥିବା ବେଳେ ଆସନ୍ତାକାଲି ଅତି ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଏଠାରେ ଏକ ପ୍ରଶ୍ନ ମନକୁ ଆସି ବାତ୍ୟା ସୃଷ୍ଟି ହୁଏ କିପରି? ସମୁଦ୍ରରେ ଏହା କିପରି ଭୀଷଣ ବାତ୍ୟାରେ ପରିଣତ ହୁଏ? ତେବେ ଅକ୍ଟୋବର ମାସରେ କାହିଁକି ଆସେ ବାତ୍ୟା ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ଭିତରେ ଆସିଥାଏ । ତେବେ ବାତ୍ୟା ସୃଷ୍ଟି ହେବା ପରେ ମଧ୍ୟ ଦୁର୍ବଳ ହୋଇପାରେ । ଗଭୀର ଜଳରାଶିରେ ସବଳ ହୋଇଥିବା ବେଳେ ସ୍ଥଳଭାଗକୁ ଛୁଇଁଲା ବେଳକୁ ଏହା ଦୁର୍ବଳ ହୋଇଯାଏ ।

ପ୍ରଥମତଃ ସୁଦୀର୍ଘ ଏବଂ ଉତ୍ତପ୍ତ ସାମୁଦ୍ରିକ ଜଳରାଶି ବାତ୍ୟା ସୃଷ୍ଟି ହେବା ପାଇଁ ଆବଶ୍ୟକ ହୋଇଥାଏ । ଜଳରାଶିର ଉପରିଭାଗରେ ତାପମାତ୍ରା 26 ଡିଗ୍ରୀରୁ ଅଧିକ ହେଲେ ସମୁଦ୍ରର ଉପରିବାୟୁ ଗରମ ହୋଇ ବାୟୁମଣ୍ଡଳରୁ ଉଠିଥାଏ । ତେବେ ନିମ୍ନରେ ଫାଙ୍କା ରହିଥିବା କାରଣରୁ ଥଣ୍ଡା ବାୟୁ ଆସି ସେଠାରେ ଜମା ହୋଇଥାଏ । ଏହାପରେ ପୁଣି ଉତ୍ତପ୍ତ ହୋଇ ବାୟୁ ଜଳୀୟ ବାଷ୍ପ ହୋଇ ଉପରକୁ ଉଠିଥାଏ । ତେବେ ଏହା ବାୟୁମଣ୍ଡଳରେ ଥଣ୍ଡା ହୋଇ ବାଦଲରେ ପରିଣତ ହୋଇଥାଏ । ତେବେ ଏହି ପ୍ରକ୍ରିୟା ଜାରି ରହିବା ଦ୍ବାରା ବାଦଲର ଘନତ୍ବ ମଧ୍ୟ ବୃଦ୍ଧି ପାଇଥାଏ । ଏସବୁ ବାଷ୍ପ ଘନୀଭୂତ ହେବା ଫଳରେ ଏହାର ଶକ୍ତି ବଢ଼ି ବଢ଼ି ଚାଲେ ଏବଂ ଏହା ଏକ ଚକ୍ରରେ ପରିଣତ ହୋଇଥାଏ । ତେବେ ଏହି ଚକ୍ରକୁ ଘୂର୍ଣ୍ଣନ ବେଗ ଅଧିକ ସପୋର୍ଟ କରିଥାଏ । ସମୁଦ୍ରର ଆଦ୍ରବାୟୁ ଉତ୍ତପ୍ତ ହୋଇ ବାଷ୍ପରେ ପରିଣତ ହୋଇ ଉପରକୁ ଉଠିଥାଏ । ଯେଉଁ କାରଣରୁ ସେହି ସ୍ଥାନରେ ଲୋ-ପ୍ରେସର ସୃଷ୍ଟି ହୁଏ ।

ଏକ ନିର୍ଦ୍ଦିଷ୍ଚ ସ୍ଥାନରେ ଏହା ଘୂର୍ଣ୍ଣନ କରିବା ଦ୍ବାରା ପରିସୀମା ମଧ୍ୟ ବୃଦ୍ଧି ପାଇଥାଏ । ଫଳରେ ବାତ୍ୟାର ଆଖି ପ୍ରଥମେ ସୃଷ୍ଚି ହୋଇଥାଏ । ଏହି ସ୍ଥାନର ବାୟୁ ବାୟୁମଣ୍ଡଳରୁ ଯାଇ ପୁଣିଥରେ ସମୁଦ୍ର ନିମ୍ନକୁ ଆସିଥାଏ। ଦକ୍ଷିଣ ଗୋଲାର୍ଦ୍ଧରେ ବାମରୁ ଡାହାଣକୁ ଓ ଉତ୍ତର ଗୋଲାର୍ଦ୍ଧରେ ଡାହାଣରୁ ବାମକୁ ଘୂରି ଥାଏ ଏହି ବାୟୁଚକ୍ର । ତେବେ ତାପମାତ୍ରାରେ ଅସମାନତା କାରଣରୁ ବାତ୍ୟା ସୃଷ୍ଟି ହୋଇଥାଏ । ଏଥିରେ ଉଚ୍ଚଚାପ ବିଶିଷ୍ଟ ଚତୁଃପାର୍ଶ୍ୱ ଅଞ୍ଚଳରୁ ନିମ୍ନଚାପ ବିଶିଷ୍ଟ କେନ୍ଦ୍ରାଞ୍ଚଳକୁ ପ୍ରବଳ ବେଗରେ ପବନ ବହିଥାଏ । ଫଳରେ ଏହି ବେଗ ଅନୁସାରେ ବାତ୍ୟା ସୃଷ୍ଟି ହୋଇଥାଏ । ସମୁଦ୍ର ଉରପରେ ପବନର ବେଗ ଘଣ୍ଟାପ୍ରତି ବେଗ 75 କିଲୋମିଟରରୁ ବୃଦ୍ଧି ପାଇଲେ ବାତ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ । ତାପମାତ୍ରା ଏବଂ ଚାପ ମଧ୍ୟରେ ତାରତମ୍ୟ ଯୋଗୁଁ ଏହା ଭୂପୃଷ୍ଠ ଆଗକୁ ମାଡି ଆସିଥାଏ । ଯଦି ଏଠାରେ ପବନର ବେଗ କମିଯାଏ ତାହେଲେ ବାଦଲ ବର୍ଷା ହୋଇଥାଏ । ପରେ ଏହା ପୁଣି ସମୁଦ୍ରକୁ ଫେରିଥାଏ । ପୁଣି ସମୁଦ୍ରରୁ ବଳ ଗୋଟାଇ ଶକ୍ତିଶାଳୀ ହୋଇଥାଏ ।