ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ ସାଙ୍ଗଠନିକ କାର୍ଯ୍ୟକ୍ରମ ସ୍ଥଗିତ: ମନମୋହନ ସାମଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ‘ଦାନା’ର ସଫଳ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ମନ୍ତ୍ରୀ, ବିଧାୟକ, ଆଇଏଏସ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାରେ ବାତ୍ୟା ପରିଚାଳନା ଓ ତଦାରଖ ଦାୟିତ୍ୱ ଦିଆଯାଇଛି । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାର ରୂପ ନେଇ ଓଡ଼ିଶା ଆଡ଼କୁମାଡ଼ି ଆସୁଛି । ଆସନ୍ତାକାଲି ରାତି ୧୧.୩୦ ଓ ସକାଳ ସମୟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ମାତ୍ରେ ପବନର ବେଗ ୧୧୦-୧୨୦ କିମି ରହିବ ବୋଲି କୁହାଯାଇଛି ।

 

ତେବେ ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ବିଜେପିର କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ରାଜ୍ୟ ବିଜେପି ସଭାପତି ମନମୋହନ ସାମିଲ ସୂଚନା ଦେଇଛନ୍ତି । ଦଳର ସମସ୍ତ ବିଧାୟକ, ମନ୍ତ୍ରୀ ଓ କାର୍ଯ୍ୟକର୍ତ୍ତାମାନେ ଲୋକଙ୍କ ସେବାରେ ରହିବେ । ଏହି ଅବସରରେ ଦଳ, ମତ ନିର୍ବିଶେଷରେ ଆଗକୁ ଆସି ବାତ୍ୟାର ମୁକାବିଲା କରିବାକୁ ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ବାତ୍ୟା ପାଇଁ ପୂର୍ବରୁ ରାଜ୍ୟ ସରକାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି କରିବା ସହ ବିଭିନ୍ନ ପରୀକ୍ଷାକୁ ସ୍ଥଗିତ ରଖିଥିଲେ । ଏଥିସହିତ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଥିଲେ ।