ସମଗ୍ର ଦେଶରେ ଲାଗୁ ହେବ ‘ୱାନ୍ ନେସନ, ୱାନ୍ ଗୋଲ୍ଡ ରେଟ୍’! ସବୁଠି ମିଳିବ ଗୋଟିଏ ରେଟର ସୁନା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୁନା ଓ ରୁପା ଦର ଅହେତୁକ ଭାବେ ବୃଦ୍ଧି ପାଇଚାଲିଥିବା ବେଳେ ସୁନାରେ ନିବେଶ କରୁଥିବା ଲୋକଙ୍କୁ ଏହା ଅଧିକ ଫାଇଦା ଦେଉଛି । ସାଧାରଣ ଭାବେ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରେଟରେ ସୁନା ବିକ୍ରି ହୋଇଥାଏ । ତେବେ ଆଗାମୀ ଦିନରେ ସାରା ଦେଶରେ ଗୋଟିଏ ରେଟରେ ସୁନା ବିକ୍ରି ହେବ । ଦେଶରେ ‘ୱାନ ନେସନ, ୱାନ ଗୋଲ୍ଡ ରେଟ’ ଲାଗୁ କରିବା ନେଇ ପ୍ରସ୍ତୁତି ଚାଲିଛି । ଅଖିଳ ଭାରତୀୟ ରତ୍ନ ଓ ଅଳଙ୍କାର ଘରୋଇ ପରିଷଦ ଏହା ଉପରେ କାମ କରୁଛି ।

ଘରୋଇ ସୁନା ଦରରେ ଷ୍ଟାଣ୍ଡାର୍ଡାଇଜନ କରିବା ହେଉଛି ଏହାର ପଛର ପ୍ରକୃତ ଉଦ୍ଦେଶ୍ୟ । ଏନେଇ କାଉନସିଲର ସଚିବ ମିତେଶ ଧୋରଡା କହିଛନ୍ତି, ଆମେ ଗୋଟିଏ ରେଟରେ ଆମଦାନୀ କରିଥାଉ । ମାତ୍ର ଘରୋଇ ଖୁଚୁରା ଦର ବିଭିନ୍ନ ସହରରେ ଅଲଗା ଅଲଗା ହୋଇଥାଏ । ସାରା ଦେଶରେ ଗୋଟିଏ ଦର ଲାଗୁ ହେଉ ବୋଲି ଆମେ ଚାହୁଁ । ଅକ୍ଟୋବରୁ ୨୨ରୁ ଡିସେମ୍ବର ୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏକ ନୂଆ ବାର୍ଷିକ ସ୍ୱର୍ଣ୍ଣ ମହୋତ୍ସବ ଲକୀ ଲକ୍ଷ୍ମୀର ଶୁଭାରମ୍ଭ ଅବସରରେ ଶ୍ରୀ ଧରୋଡା ଏହା କହିଥିଲେ ।

ପୂର୍ବରୁ ଏନେଇ ପରିଷଦର ସଦସ୍ୟମାନଙ୍କ ସହିତ ୫୦ରୁ ଅଧିକ ବୈଠକ ଅନୁଷ୍ଠିତ ହୋଇସାରିଛି ଓ ଏହାଦ୍ୱାରା ୮ ହଜାରରୁ ଅଧିକ ବଣିଆଙ୍କୁ ଏକାଠି କରିବା ସମ୍ଭବ ହୋଇଛି । ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ଓ ଉଦ୍ୟୋଗର ହିତଧାରକଙ୍କୁ ବୁଝାଇବା ପାଇଁ ପ୍ରୟାସଜାରି ରହିଛି । ହ୍ୱାଟସଆପ୍ ଜରିଆରେ ଅନୁଶାସିତ ଦରକୁ ନେଇ ନିଜର ସଦସ୍ୟଙ୍କୁ ସୂଚନା ଦିଆଯାଇଛି । ଅତିକମରେ ୪-୫ ଲକ୍ଷ ବଣିଆଙ୍କୁ ଏଥିରେ ସାମିଲ କରିବା ଲକ୍ଷ୍ୟ ରହିଥିବା ଶ୍ରୀ ଧରୋଡା କହିଥିଲେ ।