ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ତିନି ମୃତ

କେନ୍ଦୁଝର: ଛୁଆଙ୍କ ସୁରକ୍ଷା ମା ସେମାନଙ୍କୁ ନେଇ ଗାଧୋଇବାକୁ ପୋଖରୀକୁ ଯାଇଥିଲେ । କିନ୍ତୁ ମାଙ୍କ ସାମାନ୍ୟ ଅସାବଧାନତାରୁ ଦୁଇ ପିଲା ପାଣିରେ ବୁଡିବା ବେଳେ ସେମାନଙ୍କୁ ବଞ୍ଚାଇବାକୁ ଯାଇ ମା ମଧ୍ୟ ସେମାନଙ୍କ ସହ ସଲିଲ ସମାଧି ନେଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ସୂଚନା ମୁତାବକ, ଘଟଗାଁର ପାଣୁପଶି ଗାଁର ପବନା ମହାକୁଡଙ୍କ ପତ୍ନୀ ନିଜ ଦୁଇ ପୁଅ, ଝିଅଙ୍କୁ ସାଙ୍ଗରେ ନେଇ ପୋଖରୀକୁ ଗାଧେଇବାକୁ ଯାଇଥିଲେ । କାମିନୀ ପୋଖରୀ ତୁଠରେ କପଡା ସଫା କରୁଥିଲେ ଓ ଭାଇ ଭଉଣୀ ମାଆଙ୍କ ପାଖରେ ତୁଠରେ ବସି ଖେଳୁଥିଲେ । ଖେଳୁ ଖେଳୁ ସେମାନେ କେତେବେଳେ ପାଣି ଭିତରକୁ ଚାଲିଗଲେ ତା ଉପରେ କାମିନୀଙ୍କ ନଜର ନ ଥିଲା । ଯେତେବେଳେ ପିଲା ପାଣିରେ ବୁଡି ଗୋଡ, ହାତ ବାଡେଇଲେ, କାମିନୀଙ୍କ ଚେତା ପଶିଥିଲା । ଦେଖନ୍ତି ତ ଦୁଇ ପିଲା ମଝି ପୋଖରୀରେ ବୁଡି ଯାଉଛନ୍ତି ।

ବିକଳରେ ଆଗପଛ ନ ଭାବି କାମିନୀ ପାଣି ଭିତରେ ପଶିଯାଇଥିଲେ । କିନ୍ତୁ ବିଡମ୍ବନା, ମା, ଛୁଆ ସମସ୍ତଙ୍କର ଶଲୀଳ ସମାଧି ହେଲା ସେହି ପୋଖରୀରେ । ପୋଖରୀ ହୁଡାରେ ଥିବା ଛୁଆଟିଏ ଏସବୁ ଦେଖି ଲୋକଙ୍କୁ ଡାକ ପକେଇଲେ ମଧ୍ୟ କେହି ପାଖରେ ନ ଥିବାରୁ ଶୁଣିପାରି ନ ଥିଲେ । ତେଣୁ ସେ ଘରକୁ ଧାଇଁଲା ପରିବାର ଲୋକଙ୍କୁ ଜଣାଇବାକୁ । ପ୍ରାୟ ଅଧଘଣ୍ଟା ପରେ ଗାଁରୁ ଲୋକ ଆସିବା ବେଳକୁ ସବୁ ଶେଷ ହୋଇଯାଇଥିଲା ।

ତିନି ଜଣଙ୍କ ମୃତଦେହ ପୋଖରୀରୁ ବାହାରିବା ପରେ ଗାଁ ଦାଣ୍ଡ ଫାଟିପଡିଥିଲା କାନ୍ଦ ବୋବାଳିରେ । ଖବର ପ୍ରଚାର ହେବା ସହ ଆଖପାଖ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟିଥିଲା ପାଣୁପଶି ଗାଁକୁ ।