ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ହୃତପିଣ୍ଡ ପ୍ରତିରୋପଣ; ସ୍ୱାକ୍ଷର ହେଲା ବୁଝାମଣାପତ୍ର

ଭୁବନେଶ୍ୱର: ଆଜି ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ପ୍ରତିରୋପଣ ଆରମ୍ଭ କରିବା ପାଇଁ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଏବଂ ଚେନ୍ନାଇସ୍ଥିତ ଏମ୍‌ଜିଏମ୍‌ ହେଲଥ୍‌କେୟାର ସଂସ୍ଥା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଲୋକସେବା ଭବନରେ ସ୍ୱାକ୍ଷରିତ ହୋଇଛି । ଏହି ଐତିହାସିକ ପଦକ୍ଷେପ ଦ୍ୱାରା ଓଡ଼ିଶାବାସୀ, ବିଶେଷ କରି ଗରିବ ରୋଗୀମାନେ ଉପକୃତ ହେବେ ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍‌ପିଟାଲ୍‌ରେ ଅଦ୍ୟାବଧି ବୃକକ୍‌, ଅସ୍ଥିମଜ୍ଜା ଓ ଯକୃତ ପ୍ରତିରୋପଣ ହେବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଥିବାରୁ ଏମ୍‌ଜିଏମ୍‌ ହେଲଥ୍‌ କେୟାର ଏସ୍‌ସିବିରେ ହୃତପିଣ୍ଡ ପ୍ରତିରୋପଣ କରିବା ପାଇଁ ସମ୍ମତି ପ୍ରକାଶ କରିଛି । ଏସ୍‌ସିବିରେ ପ୍ରଥମ ଦଶଜଣଙ୍କ ହୃତପିଣ୍ଡ ପ୍ରତିରୋପଣ ସଂପୂର୍ଣ୍ଣ ମାଗଣାରେ କରାଯିବ । ଏହା ମଧ୍ୟରେ ଏମ୍‌ଜିଏମ୍‌ ହେଲଥ୍‌ କେୟାର ଓଡ଼ିଶାର ଦୁଇଟି ଡାକ୍ତରୀ ଦଳକୁ ବିନାଦେୟରେ ତାଲିମ ଦେଇଛି । ପ୍ରଥମେ ଏସ୍‌ସିବିରେ ଏମ୍‌ଜିଏମ୍‌ ହେଲଥ୍‌ କେୟାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୃତପିଣ୍ଡ ପ୍ରତିରୋପଣ କରାଯିବ ।

ଏସ୍‌ସିବିର ଡାକ୍ତରମାନେ ଏହି କାର୍ଯ୍ୟରେ ପାରଙ୍ଗମ ହେଲା ପରେ ନିଜ ଦଳ ନେଇ ହୃତପିଣ୍ଡ ପ୍ରତିରୋପଣ କରିବେ । ଏହା ଦ୍ୱାରା ଓଡ଼ିଶା ଲୋକଙ୍କୁ ଏହି ଚିକିତ୍ସା ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ । ମନ୍ତ୍ରୀ ଡ. ମହାଲିଙ୍ଗ, କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍‌ଙ୍କ ଉପସ୍ଥିତିରେ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡା. ସନ୍ତୋଷ ମିଶ୍ର ଏବଂ ଏମ୍‌ଜିଏମ୍‌ ହେଲଥ୍‌ କେୟାର ପକ୍ଷରୁ ଡା. ସୁରେଶ ରାଓ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍‌ସିବିର ପ୍ରଫେସର ଡା. ମନୋଜ କୁମାର ପଟ୍ଟନାୟକ, ପ୍ରଫେସର ଡା. ସୁର କିଶୋର ମିଶ୍ର ଓ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।