କିଭଳି ବାତ୍ୟା ନିଏ ଭୟଙ୍କର ରୂପ? ଅକ୍ଟୋବର ମାସରେ ହିଁ ସୃଷ୍ଟି କରେ ମହାପ୍ରଳୟ: ଜାଣନ୍ତୁ କାହିଁକି

ଓଡ଼ିଶା ଭାସ୍କର: ସାମୁଦ୍ରିକ ଜଳରାଶି ଉପରେ କୌଣସି ବାଧାବିଘ୍ନ ନଥିବାରୁ ବାୟୁ ପ୍ରବାହର ବେଗ ସବୁବେଳେ ୬୦-୭୦ କି.ମି. ପାଖାପାଖି ରହିଥାଏ । ତେବେ ବାୟୁ ପ୍ରବାହର ବେଗ ଘଣ୍ଟା ପ୍ରତି ୬୫-୭୫ କି.ମି.ରୁ ବୃଦ୍ଧିି ପାଇଲେ ଏହାକୁ ବାତ୍ୟା କୁହାଯାଇଥାଏ । ସମୁଦ୍ରରେ ସୃଷ୍ଟି ହେଉଥିବା ଏଭଳି ବାତ୍ୟାର ବେଗ ଘଣ୍ଟାପ୍ରତି ୧୦୫ କି.ମି. ରହିଲେ ବ୍ୟାପକ ଘରଦ୍ୱାର, ଦୋକାନ ବଜାର ଆଦି ନଷ୍ଟ ହୋଇଥାଏ । ବାତ୍ୟାର ଦ୍ୱିତୀୟ ଶ୍ରେଣୀରେ ପବନର ବେଗ ୧୨୫-୧୬୪ କି.ମି. ଭିତରେ ରହିଥାଏ । ତେବେ ପବନର ବେଗ ୧୬୫-୨୨୪ କି.ମି. ଭିତରେ ରହିଲେ ଏହାକୁ ଭୀଷଣ ବାତ୍ୟା ବା ସିଭିୟର୍ ସାଇକ୍ଲୋନ୍ କୁହାଯାଇଥାଏ । ଏହାଠୁ ଅଧିକ ଅର୍ଥାତ୍ ପବନର ବେଗ ୨୨୫-୨୭୯ କି.ମି. ରହିଲେ ଏହାକୁ ଅତି ଭୀଷଣ ବାତ୍ୟା ଶ୍ରେଣୀଭୁକ୍ତ କରାଯାଇଥାଏ ।

ତେବେ ପବନର ଘଣ୍ଟାପ୍ରତି ବେଗ ୨୮୦ କି.ମି.ରୁ ବୃଦ୍ଧି ପାଇଲେ ପ୍ରଳୟଙ୍କରୀ ବାତ୍ୟା ବା ମହାବାତ୍ୟାର ରୂପ ଧାରଣ କରିଥାଏ । ଏହା ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟାଇଥାଏ । ତେବେ ବାତ୍ୟା ବିଷୟରେ ଏକ ଜାଣିବା କଥା ହେଉଛି ଯେ ଗୋଟିଏ ସାମୁଦ୍ରିକ ବାତ୍ୟା ସୃଷ୍ଟି ହେବାର ମୁଖ୍ୟତଃ ୩ଟି ପର‌୍ୟ୍ୟାୟ ଥାଏ । ପ୍ରାରମ୍ଭିକ ପର‌୍ୟ୍ୟାୟ ବା ଉତ୍ପତ୍ତି ସ୍ଥଳ, ଦ୍ୱିତୀୟରେ ପରିପକ୍ବ ହେବା ପର୍ଯ୍ୟାୟ ଏବଂ ତୃତୀୟରେ ଦୁର୍ବଳ ହେବା ପର୍ଯ୍ୟାୟ । ଏସବୁ ହେଉଛି ଏକ ନିରନ୍ତର ପ୍ରକ୍ରିୟା । ବାତ୍ୟା କେବେ ମରେ ନାହିଁ । ଗୋଟିଏ ବାତ୍ୟାର ଜୀବନକାଳ ଭିତରେ ଏହି ସବୁ ପର୍ଯ୍ୟାୟ ଏକାଧିକ ଥର ବି ଆସିପାରେ । ଏହି ସମୟ ଭିତରେ ବାତ୍ୟା କେତେବେଳେ ସବଳ ତ ପୁଣି କେତେବେଳେ ଦୁର୍ବଳ ହୁଏ । ଏହା ସ୍ଥଳଭାଗକୁ ଆସି ଦୁର୍ବଳ ହୁଏ, ପୁଣି ସମୁଦ୍ରକୁ ଫେରିଯାଇ ସବଳ ବି ହୋଇପାରେ ।

କାହିଁକି ଅକ୍ଟୋବରରେ ହୁଏ ଭୟଙ୍କର ବାତ୍ୟା?

ତେବେ ଅଧିକାଂଶ ବାତ୍ୟା ପ୍ରତିବର୍ଷ ଅକ୍ଟୋବର ମାସରେ ହିଁ କାହିଁକି ହୁଏ, ଏହାକୁ ନେଇ ମନରେ ପ୍ରଶ୍ନ ଉଠିବା ସ୍ଵାଭାବିକ। ଏହାର କାରଣ ହେଉଛି ଯେ ଅକ୍ଟୋବର ମାସରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରି ଯାଇଥାଏ ଏବଂ ପୂର୍ବପଶ୍ଚିମ ମୌସୁମୀ ଆଗମନ କରିଥାଏ। ଏହି ସମୟରେ ବଙ୍ଗୋପସାଗର ଉପର ଭାଗ ଅଧିକ ଗରମ ହୋଇଥାଏ। ଫଳରେ ଝଡ଼ ସୃଷ୍ଟି ହେବା ସହ ସମୁଦ୍ର ଅଶାନ୍ତ ହୋଇପଡ଼ିଥାଏ। ଗରମ ବାୟୁ ଜଳୀୟ ବାଷ୍ପକୁ ନେଇ ଉପରକୁ ଉଠିବା ସହ ଘନିଭୂତ ହୋଇ ଧୀରେ ଧୀରେ ବାତ୍ୟାର ରୂପ ନେଇଥାଏ। ତେଣୁ ଅକ୍ଟୋବର ମାସକୁ ସାଧାରଣତଃ ବାତ୍ୟାପ୍ରବଣ ମାସ ବୋଲି କୁହାଯାଇଥାଏ ।