ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ, ଆସନ୍ତାକାଲି ଏହି ଜିଲ୍ଲାରେ ଛୁଟି ରହିବ ସ୍କୁଲ

ଭୁବନେଶ୍ବର: ମାଡି ଆସୁଛି ବାତ୍ୟା ଦାନା । ଆଜି ମଧ୍ୟରାତ୍ରୀରେ ଧାମରା-ଭିତରକନିକା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ୍ । ତେବେ ଏନେଇ ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଜାରି ରହିଥିବା ବେଳେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଚିରେ ରଖି 14 ଜିଲ୍ଲାରେ 3ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ କନ୍ଧମାଳରେ ମଧ୍ୟ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲି କନ୍ଧମାଳରେ ବନ୍ଦ ରହିବ ସ୍କୁଲ । ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।

କହିରଖୁଛୁ କି, ରାଜ୍ୟର ୧୪ଟି ଜିଲ୍ଲାରେ 23ରୁ 25 ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କଟକ, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ ଓ ଯାଜପୁର ଜିଲ୍ଲାରେ ବାତ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ ଆଜି ଏଥିରେ ସାମିଲ ହୋଇଛି କନ୍ଧମାଳ । ଆସନ୍ତାକାଲି ସମୁଦାୟ 15ଟି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ।