ପାକିସ୍ତାନ ସେନା ତତ୍ୱାବଧାନରେ ଚାଲିଛି ଆତଙ୍କୀ ତାଲିମ, ବଡ ଷଡଯନ୍ତ୍ର ପାଇଁ ପ୍ରସ୍ତୁତି!

ନୂଆଦିଲ୍ଲୀ: ଭାରତର ଅଭିଯୋଗ ପୁଣି ସତ ପ୍ରମାଣିତ ହୋଇଛି । ପାକିସ୍ତାନ ଖାଲି ଆତଙ୍କବାଦୀଙ୍କୁ ନିଜ ମାଟିରେ ଆଶ୍ରୟ ଦେଉନାହିଁ, ବରଂ ସେମାନଙ୍କୁ ତାଲିମ ଦେଉଛି । ଏକ ସଦ୍ୟତମ ଗୁଇନ୍ଦା ରିପୋର୍ଟରୁ ଏହା ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ, ପାକିସ୍ତାନର ଏବଟାବାଦରେ ଆତଙ୍କୀଙ୍କ ଟ୍ରେନିଂ ସେଣ୍ଟରେ ଚାଲୁଛି । ଯେଉଁଠି ଏହି ତାଲିମ କେନ୍ଦ୍ର ଚାଲିଛିି, ଗୋଟିଏ ସମୟରେ ତାହା ଓସାମା ବିନ ଲାଡେନର ଠିକଣା ଥିଲା

ଖବର ମୁତାବକ, ଟ୍ରେନିଂ ସେଣ୍ଟରକୁ ହାଫିଜ ସଇଦ, ମସୁଦ ଅଜହର ଓ ସଲାହୁଦ୍ଦିନଙ୍କ ପରି କୁଖ୍ୟାତ ଆତଙ୍କବାଦୀ ଗସ୍ତ କରୁଛନ୍ତି । କାରଣ ଉଭୟ ଲସ୍କର ଏ ତୋଏବା ଓ ଜୈଶ ଏ ମୋହମ୍ମଦର ଆତଙ୍କୀଙ୍କୁ ତାଲିମ ଦିଆଯାଉଛି । ପାକ ସେନାର କ୍ୟାମ୍ପ ମଝିରେ ଏହି ଆତଙ୍କୀ ଶିବିର ହୋଇଛି । ଏଠାରେ ବଡ ବଡ ଆତଙ୍କୀଙ୍କୁ ତାଲିମ ଦେବା ସହ ବଡ ବଡ ଆକ୍ରମଣର ପ୍ଲାନିଂ ହେଉଛି । ଆତଙ୍କୀ କ୍ୟାମ୍ପକୁ ସେନାର ବିନା ଅନୁମତିରେ କେହି ପ୍ରବେଶ କରିବା ଅସମ୍ଭବ ।

ସୂତ୍ର ମୁତାବକ, ଏଠାରେ ଜିହାଦୀଙ୍କୁ ଭର୍ତ୍ତି କରାଯାଏ । ଏହି କ୍ୟାମ୍ପ, ପାକିସ୍ତାନରେ ଥିବା ଆତଙ୍କୀ କ୍ୟାମ୍ପଗୁଡିକ ମଧ୍ୟରୁ ଗୋଟିଏ । ଏବଟାବାଦ ଜିଲ୍ଲାରେ ଆଇଏସଆଇ ଜେନେରାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ୟାମ୍ପ ଚାଲିଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି । କ୍ୟାମ୍ପରେ ଆତଙ୍କବାଦୀଙ୍କୁ ବିଶେଷ ତାଲିମ ଦିଆଯାଏ । ସେମାନଙ୍କ, ଜଳ, ସ୍ଥଳରେ ଲଢେଇ କରିବାର ଟେକ୍ନିକ ଶିଖାଯାଏ । ବର୍ତ୍ତମାନ ଏହି କ୍ୟାମ୍ପର ଗହଳିକୁ ଦେଖି ଖୁବ ଶୀଘ୍ର ପାକିସ୍ତାନ କୌଣସି ବଡ ଷଡଯନ୍ତ୍ରକୁ ରୂପ ଦେବ ବୋଲି କୁହାଯାଉଛି ।