(Video) ତୁମେ ହିଁ ପ୍ରକୃତ ଯୋଦ୍ଧା: ବାତ୍ୟା ପରେ ରାସ୍ତାରୁ ଗଛ କାଟି ସଫା କରୁଥିଲେ, କଟିଗଲା ଦମକଳ କର୍ମଚାରୀଙ୍କ ହାତ, ତଥାପି ହାରିଲେ ନାହିଁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଦାନା’ ଚାଲିଯାଇଛି ସିନା ତା’ ଦ୍ୱାରା ପ୍ରଭାବିତ ଲୋକଙ୍କର ଦୁଃଖ ସରିନାହିଁ । ଭୀଷଣ ବର୍ଷା ଓ ଦ୍ରୁତ ଗତିର ପବନରେ ରାଜ୍ୟର ଅନେକ ଚାଷୀଙ୍କର ଫସଲ ନଷ୍ଟ ହୋଇଯାଇଛି । ଏବେ ବି ହଜାର ହଜାର ଲୋକ ବାତ୍ୟା ଆଶ୍ରୟସ୍ଥଳୀରେ ରହିଛନ୍ତି । ଏହା ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିବା ପରେ ଆସନ୍ତା ୨ ତାରିଖ ସୁଦ୍ଧା କ୍ଷୟକ୍ଷତିର ରିପୋର୍ଟ ଦେବାକୁ ୧୪ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ବି ରାଜ୍ୟର କିଛି ଜିଲ୍ଲାରେ ଚାଷଜମି ଜଳମଗ୍ନ ହେବା ସହିତ ରାସ୍ତାରେ ଚଳାଚଳ ବ୍ୟାଘାତ ସୃଷ୍ଟି ହୋଇଛି ।
ତେବେ ରାସ୍ତାରେ ବୃକ୍ଷଲତା ଭାଙ୍ଗିପଡ଼ି ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି । ଏଭଳି ସ୍ଥିତିରେ ଦମକଳ ବାହିନୀ ଓ ଓଡ୍ରାଫ ଟିମର ସଦସ୍ୟମାନେ ସତେ ଯେମିତି ଦେବଦୂତ ସାଜିଛନ୍ତି । ଏହି କର୍ମଚାରୀମାନେ ଖରା, ବର୍ଷାକୁ ଖାତିର ନକରି ଲୋକଙ୍କୁ ସୁରକ୍ଷା ଦେବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ତେବେ ବାତ୍ୟାରେ ପଡ଼ିଥିବା ଗଛକୁ କାଟିବା ସମୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ଜଣେ ଅଗ୍ନିଶମ କର୍ମଚାରୀଙ୍କ ହାତ କଟି ଯାଇଛି । ଏହି ପୀଡ଼ିତ କର୍ମଚାରୀଙ୍କ ଜଣଙ୍କ ହେଉଛନ୍ତି ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତର ଗେନ୍ଦ୍ରା ଓରାମ । ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ଖବର ଶୁଣିବା ପରେ ଗେନ୍ଦ୍ରା ସଙ୍ଗେସଙ୍ଗେ ଘରୁ ବାହାରି ଯାଇଥିଲେ ।
ମାତ୍ର ବିଧିର ବିଧାନ ଥିଲା ବଡ଼ ବିଚିତ୍ର । ଗଛ କାଟିବା ସମୟରେ ଧାରୁଆ ଅସ୍ତ୍ରରେ ଗେନ୍ଦ୍ରାଙ୍କର ହାତ କଟିଯାଇଥିଲା । ଏବେ ଗେନ୍ଦ୍ରା ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଦୁଃଖକୁ ନେଇ ତିଳେମାତ୍ର ମନ କଷ୍ଟ କରିନାହାନ୍ତି ଏହି ଯୋଦ୍ଧା । ଲୋକଙ୍କ ସୁରକ୍ଷା ପାଇଁ କାମ କରିବା ତାଙ୍କର କର୍ତ୍ତବ୍ୟ ବୋଲି ସେ ହସ ହସ ମୁହଁରେ କହିଛନ୍ତି । ଲୋକଙ୍କ ଦୁଃଖ ଆଗରେ ତାଙ୍କର ହାତ କଟିବାର ଯନ୍ତ୍ରଣା କିଛି ନୁହେଁ ବୋଲି କହି ଆଜି ଜଣେ ବୀରର ପରିଚୟ ଦେଇଛନ୍ତି ଏହି ୪୦ ବର୍ଷୀୟ ଯୁବକ ଗେନ୍ଦ୍ରା ।