ନୂଆଦିଲ୍ଲୀ: ନଭେମ୍ବର ମାସ ୨୦ ତାରିଖରେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏହାପରେ ନଭେମ୍ବର ୨୩ ତାରିଖରେ ଭୋଣ ଗଣତି କରାଯିବ । ଆଗାମୀ ନିର୍ବାଚନ ପାଇଁ ବିଜେପି ନିକଟରେ ତା’ର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଯଥାକ୍ରମେ ୯୯, ୨୨ ଓ ୨୫ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା । ଏହା ମଧ୍ୟରେ ଦଳ ତା’ର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ଚତୁର୍ଥ ପର୍ଯ୍ୟାୟରେ ଦଳ ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।ଏହାଫଳରେ ଦଳ ବର୍ତ୍ତମାନ ସୁଦ୍ଧା ମୋଟ ୧୪୮ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ଉମରେଡ ଆସନରୁ ସୁଧୀର ଲକ୍ଷ୍ମଣରାଓ ପାରୱେଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ମୀରା ଭାଇନ୍ଦର ଆସନରୁ ନରେନ୍ଦ୍ର ଲାଲଚାନ୍ଦଜୀ ମେହତାଙ୍କୁ ପ୍ରାର୍ଥୀ କରାଯାଇଛି ।
ଏହା ପୂର୍ବରୁ ଗତ ୨୬ ତାରିଖରେ ଦଳ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଥିଲା । ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । ଭାରତ ପ୍ରତ୍ୟେକ ନିର୍ବାଚନରେ ଏକ ନୂଆ ଇତିହାସ ସୃଷ୍ଟି କରୁଥିବା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଥିଲେ । ଝାଡ଼ଖଣ୍ଡରେ ନଭେମ୍ବର ୧୩ ପ୍ରଥମ ପର୍ଯ୍ୟାୟ ଓ ୨୦ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ମତଦାନ ଗ୍ରହଣ କରାଯିବ । ଦୁଇ ରାଜ୍ୟରେ ନଭେମ୍ବର ୨୩ରେ ଫଳାଫଳ ଘୋଷଣା ହେବ ।