ନଭେମ୍ବର ୪ ଓ ୧୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ମାସରେ ଦୁଇଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି । ଆସନ୍ତା ୪ ଓ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭୁବନେଶ୍ୱରର ୟୁନିଟ-୫ ସ୍ଥିତ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ବାତ୍ୟା ‘ଦାନା’ ପାଇଁ ଅକ୍ଟୋବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଥିଲା । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଦୀର୍ଘବର୍ଷ ଧରି ବନ୍ଦ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପୁଣି ଥରେ ଆରମ୍ଭ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିବା ସହ ତାହାକୁ ସମାଧନ କରୁଛନ୍ତି ।