ଶ୍ରେୟସ Retention ତାଲିକାର ପ୍ରଥମରେ ଥିଲେ… କାହିଁକି ବାଦ୍ ପଡ଼ିଲେ ଆୟର? ଭିତିରି କଥା କହିଦେଲେ ସିଇଓ

ନୂଆଦିଲ୍ଲୀ: କୋଲକାତା ନାଇଟ ରାଇଡର୍ସର ରିଟେନସନ ତାଲିକାରୁ ବାଦ୍ ପଡ଼ିଛନ୍ତି ଚମ୍ପିଆନ୍ ଅଧିନାୟକ ଶ୍ରେୟସ ଆୟର । ଦଳ ୬ ଜଣ ଖେଳାଳିଙ୍କୁ ରିଟେନ୍ କରିଥିବା ବେଳେ ଗତ ସିଜନର ଅଧିନାୟକ ଶ୍ରେୟସଙ୍କୁ ତାଲିକାରୁ ବାଦ୍ ଦେଇଛି । ଏହାପରେ ଏହି ରିଟେନସନକୁ ନେଇ ଅନେକ ଚର୍ଚ୍ଚା-ଆଲୋଚନା ହେବାରେ ଲାଗିଛି । ତେବେ ଏହାପରେ ଶ୍ରେୟସଙ୍କୁ ରିଲିଜ କରିବା ପଛର କାରଣ ଖୋଲି କହିଛନ୍ତି କୋଲକାତା ନାଇଟ ରାଇଡର୍ସର ସିଇଓ ଭେଙ୍କି ମୈସୁର । ଶ୍ରେୟସ ରିଟେନସନ ତାଲିକାର ପ୍ରଥମ ସ୍ଥାନରେ ଥିଲେ ବୋଲି ସେ ପ୍ରକାଶ କରିଛନ୍ତି । ତେବେ କାହିଁକି ଦଳରୁ ବାଦ୍ ପଡ଼ିଲେ ଶ୍ରେୟସ? ଅଧିନାୟକ ପଦରେ ଥିଲେ ମଧ୍ୟ କାହିଁକି ଅଲଗା ହେଲେ କୋଲକାତା-ଶ୍ରେୟସ?

କେଲକାତା ନାଇଟ ରାଇଡର୍ସର ରିଟେନସନ ଲିଷ୍ଟକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ସିଇଓ ଭେଙ୍କି ମୈସୁର । ସେ କହିଛନ୍ତି ଯେ, ଦଳ ତାଙ୍କୁ ରିଟେନ୍ କରିବା ପାଇଁ ଚାହୁଁଥିଲା । କିନ୍ତୁ ଶ୍ରେୟସ ନିଜେ ଦଳରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଭେଙ୍କି କହିଛନ୍ତି ଯେ, ରିଟେନସନ ପାଇଁ ପରସ୍ପର ବୁଝାମଣା ନିହାତି ଆବଶ୍ୟକ । ଏହା ଏକତରଫା ନିଷ୍ପତ୍ତି ହୋଇନଥାଏ । ଫ୍ରାଞ୍ଚାଇଜି ପାଖରେ କେବଳ ଅଧିକାର ନଥାଏ, ଖେଳାଳିଙ୍କୁ ମଧ୍ୟ ଅନେକ ଜିନିଷ ଦେଖିବାକୁ ପଡ଼ିଥାଏ । ବିଭିନ୍ନ କାରଣରୁ ଅନେକ ଥର ପରସ୍ପର ବୁଝାମଣା ହୋଇ ପାରେନାହିଁ । ତେଣୁ ଏହାର ପ୍ରଭାବ ରିଟେନସନ ଉପରେ ମଧ୍ୟ ଦେଖିବାକୁ ମିଳିଥାଏ ।

ଶ୍ରେୟସ ଦଳର ଅଧିନାୟକ ଥିଲେ । ୨୦୨୨ ମସିହାରେ କୋଲକାତା ତାଙ୍କୁ ସାମିଲ କରିଥିଲା, ୨୦୨୩ରେ ସେ ଆହତ ଥିଲେ ମଧ୍ୟ ସେ ପେରିବା ପରେ ଅଧିନାୟକ ହେବେ ବୋଲି ଦଳ ନିଷ୍ପତ୍ତି ନେଇଥିଲା । ସେ ଖୁବ ସୁନ୍ଦର ପ୍ରଦର୍ଶନ କଲେ ଏବଂ ତାଙ୍କ ସହିତ ମୋର ସମ୍ପର୍କ ଭଲ ଅଛି ବୋଲି କହିଛନ୍ତି ଭେଙ୍କି ମୈସୁର । ତେବେ ଶେଷରେ ସମସ୍ତେ ନିଜ ନିଷ୍ପତ୍ତି ନିଜେ ନେଇଥାନ୍ତି ଏବଂ ସେମାନେ ସେମାନେ କ’ଣ କରୁଛନ୍ତି ।

ଏହାପରେ ଭେଙ୍କି କହିଛନ୍ତି ଯେ, ସମସ୍ତ ଖେଳାଳି ମଧ୍ୟରୁ ୧୦-୧୧ ଜଣଙ୍କୁ ଚୟନ କରିବା ସହଜ । କିନ୍ତୁ ଏହିମାନଙ୍କ ମଧ୍ୟରୁ ୬ ଜଣଙ୍କୁ ବାଛିବା ଏକ କଠିନ ପ୍ରକ୍ରିୟା ହୋଇଥାଏ । କାରଣ ଏହି ଖେଳାଳିମାନଙ୍କ ସହ ଦଳର ସମୀକରଣ ଖୁବ ଭଲ ହୋଇଥାଏ ଏବଂ ସେମାନେ ଦଳ ପାଇଁ ବେଶ୍ ଭଲ ପ୍ରଦର୍ଶନ କରିଥାନ୍ତି । ସୁନୀଲ ୧୨ ବର୍ଷରୁ ଦଳରେ ସାମିଲ ରହିଥିବା ବେଳେ ରସେଲ ମଧ୍ୟ ୧୦ ବର୍ଷରୁ ଲଗାତାର ପ୍ରଦର୍ଶନ କରି ଆସୁଛନ୍ତି । ସେିପରି ବରୁଣ ୨୦୧୯ରୁ, ରିଙ୍କୁ ସିଂ ୨୦୧୮ରୁ ଏବଂ ହର୍ଷିତ ୩ ଟି ସିଜନରେ କମାଲ କରିଥିବା ବେଳେ ରମନଦୀପ ଗତ ସିଜନରେ ବେଶ୍ ଦମଦାର ପ୍ରଦର୍ଶନ କରିଛନ୍ତି ।