ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପୂର୍ବରୁ ରିଟେନସନ ଲିଷ୍ଟ ଜାରି ହୋଇସାରିଛି । ବର୍ତ୍ତମାନ ମେଗା ଅକ୍ସନକୁ ଅପେକ୍ଷା କରି ରହିଛନ୍ତି ବିଭିନ୍ନ ଦଳରୁ ରିଲିଜ ହୋଇଥିବା ଖେଳାଳି । ଏହି ତାଲିକାରେ କେ.ଏଲ ରାହୁଲ, ଋଷଭ ପନ୍ତ ଏବଂ ଶ୍ରେୟସ ଆୟରଙ୍କ ସହ ଆହୁରି ଅନେକ ବଡ଼ ବଡ଼ ଖେଳାଳିଙ୍କ ନାମ ସାମିଲ ରହିଛି । ତେବେ ଅକ୍ସନ ପୂର୍ବରୁ ଆଇପିଏଲ-୨୦୨୫ରୁ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେଉଛନ୍ତି ଷ୍ଟାର କ୍ରିକେଟର । ଦଳ ଆଗାମୀ ସିଜନ ପାଇଁ ତାଙ୍କୁ ରିଟେନସନ ତାଲିକାରେ ସାମିଲ କରିନାହିଁ । ଏହାପରେ ସେ ଏଭଳି ନିଷ୍ପତ୍ତି ନେବେ ବୋଲି ଆଲୋଚନା ହେଉଛି ।
ଆଇପିଏଲ-୨୦୨୫ ପାଇଁ ୧୦ଟି ଟିମ ମୋଟ ୪୭ ଜଣ ଖେଳାଳିଙ୍କୁ ରିଟେନ୍ କରିଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଖେଳାଳି ଅକ୍ସନରେ ସାମିଲ ହେବେ ବୋଲି ଆଶା କରାଯାଉଛି । କିନ୍ତୁ ଜଣେ ଖେଳାଳି ଅକ୍ସନରେ ନିଜ ନାମ ଦେବାକୁ ଚାହୁଁ ନଥିବା ଜାଣିବାକୁ ମିଳିଛି । ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ କ୍ରିକେଟର ବେନ୍ ଷ୍ଟୋକ୍ସ ଆଗାମୀ ସିଜନ ପାଇଁ ଟୁର୍ଣ୍ଣାମେଣ୍ଟରୁ ଦୂରେଇ ରହିପାରନ୍ତି । ମେଗା ଅକ୍ସନ ପାଇଁ ରେଜିଷ୍ଟ୍ରେସନ କରିବାର ଶେଷ ତାରିଖ ନଭେମ୍ବର ୩ ତାରିଖ ରହିଥିବା ବେଳେ ସେ ଏଥିରୁ ଦୂରେଇ ରହିବେ ବୋଲି ଚର୍ଚ୍ଚା ହେଉଛି । ଇଂଲଣ୍ଡ ପାଇଁ ଅଧିକ ସମୟ ଦେବା ସହ ଟେଷ୍ଟ କ୍ରିକେଟ ଉପରେ ଅଧିକ ଫୋକସ୍ କରିବାକୁ ଏଭଳି ନିଷ୍ପତ୍ତି ନେବେ ବୋଲି କୁହାଯାଇଛି ।
ରିପୋର୍ଟ ଅନୁସାରେ, ସୀମିତ ଓଭର କ୍ରିକେଟରେ ଇଂଲଣ୍ଡ ଦଳକୁ ପୁଣିଥରେ କମବ୍ୟାକ କରିବାକୁ ଚାହୁଁଛନ୍ତି ବେନ୍ ଷ୍ଟୋକ୍ସ । ୨୦୨୨ ଟି-୨୦ ବିଶ୍ୱକପରେ ସେ ଶେଷ ଟି-୨୦ ମ୍ୟାଚ ଖେଳିଥିବା ବେଳେ ଷ୍ଟୋକ୍ସ ୨୦୨୩ ଦିନିକିଆ ବିଶ୍ୱକପରେ ମଧ୍ୟ କମବ୍ୟାକ କରିଥିଲେ । ତେବେ ବର୍ତ୍ତମାନ ମ୍ୟାକୁଲମଙ୍କ କୋଚିଙ୍ଗରେ ସେ ପୁଣିଥରେ ଦିନିକିଆ ଏବଂ ଟି-୨୦ ଦଳକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ଆଗାମୀ ଚମ୍ପିଆନ୍ସ ଟ୍ରଫି-୨୦୨୫ ପୂର୍ବରୁ ସେ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶା କରାଯାଉଛି ।
ତେବେ ୨୦୨୩ ମସିହାରେ ସେ ଶେଷ ଥର ପାଇଁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିଥିଲେ । ଏହାପରେ ଆହତ ଜନିତ ସମସ୍ୟା ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ଏହାବ୍ୟତୀତ ବିସିସିଆଇର ନୂଆ ନିୟମ ମଧ୍ୟ ତାଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ଆଇପିଏଲର ନୂଆ ନିୟମ ଅନୁସାରେ, ଅକ୍ସନରେ ବିକ୍ରି ହେବା ପରେ କୌଣସି ବିଦେଶୀ ଖେଳାଳି ବୈଧ କାରଣ ବିନା ଟୁର୍ଣ୍ଣାମେଣ୍ଟରୁ ଦୂରେଇ ରହିଲେ, ତାଙ୍କ ଉପରେ ୨ ବର୍ଷ(୨ଟି ଆଇପିଏଲ ସିଜନ) ପାଇଁ ବ୍ୟାନ୍ ଲାଗୁ କରାଯିବ । ଅନେକ ସମୟରେ ବିଦେଶୀ ଖେଳାଳି ଅକ୍ସନରେ ବିକ୍ରି ହେବା ପରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ କିମ୍ବା ସିଜନ ଆରମ୍ଭରୁ ଫ୍ରାଞ୍ଚାଇଜି ଛାଡ଼ି ଦେଇଥାନ୍ତି । ତେଣୁ ଏହି ସମସ୍ୟାକୁ ରୋକିବା ପାଇଁ ଏଭଳି ଏକ ନିୟମ ଆଣିଛି ଆଇପିଏଲ ଗଭର୍ଣ୍ଣିଂ କାଉନ୍ସିଲ ।