(Video) ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପାଇଁ ମୁଁ ଦାୟୀ ନୁହେଁ, ସବୁଥିରେ ମୋତେ ଟଣାଯାଉଛି କାହିଁକି: ରାଣୀ ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଯାତ୍ରା ପାର୍ଟିରେ ଅଶ୍ଲୀଳ ନୃତ୍ୟ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ଅଶ୍ଲୀଳ ନୃତ୍ୟ ଦେଖିବାକୁ ଯୁବବର୍ଗଙ୍କ ମଧ୍ୟରେ ଆକର୍ଷଣ ବଢ଼ିବାରେ ଲାଗିଥିବା ବେଳେ ଅନ୍ୟପଟେ ଯାତ୍ରାପାର୍ଟି ମାଲିକମାନେ ମଧ୍ୟ ଫାଇଦା ପାଇଁ ଏହାକୁ ପ୍ରଶ୍ରୟ ଦେଉଥିବା ଦେଖାଯାଉଛି । ତେବେ ଅଶ୍ଲୀଳ ନୃତ୍ୟର କୁପ୍ରଭାବ ଆମ ସମାଜ ଉପରେ ପଡ଼ୁଥିବା ଦେଖାଯାଉଛି । ତେଣୁ ଯାତ୍ରାର ଅଶ୍ଲୀଳ ନୃତ୍ୟକୁ ନେଇ ସରକାର ଏବେ ଗାଇଡଲାଇନ୍ ଆଣିବାକୁ ଯୋଜନା କରୁଛନ୍ତି । ଏହାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ଯାତ୍ରାରେ ବଢ଼ୁଥିବା ଅଶ୍ଲୀଳ ନାଚ ପାଇଁ ସେ ଦାୟୀ ନୁହନ୍ତି । ଏଥିସହିତ ସବୁକଥାରେ ତାଙ୍କୁ କାହିଁକି ଟଣାଯାଉଛି ବୋଲି ରାଣୀ କହିଛନ୍ତି ।

ରାଣୀ କହିଛନ୍ତି, ଯେଉଁମାନଙ୍କର ପ୍ରତିଭା ଅଛି ସେମାନେ ନିଜର ଦକ୍ଷତା ବଳରେ ଆଗକୁ ଯାଆନ୍ତୁ, ଅର୍ଥ ରୋଜଗାର କରନ୍ତୁ । ମୁଁ ଜଣେ ଡ୍ୟାନ୍ସର । ନାଚିବା ପାଇଁ ମୁଁ ଜୀବନରେ ଅନେକ ସାଧନା, ସଂଘର୍ଷ କରିଛି । ମୁଁ ଯେତେବେଳେ ଯାତ୍ରା ମଞ୍ଚରେ ନାଚୁଥିଲି ସେତେବେଳେ ମୁଁ ମୋ ପ୍ରଫେସନକୁ ଗୁରୁତ୍ୱ ଦେଉଥିଲି । ମାତ୍ର ଆଜି ଯାହା ଚାଲିଛି ତାହା ଡ୍ୟାନ୍ସ ନୁହେଁ । ଏହି ଆଇଟମ୍ ଡ୍ୟାନ୍ସକୁ ଏକ ସ୍ୱତନ୍ତ୍ର ଧରଣର ଅଶ୍ଲୀଳ ନାଚ କୁହାଯିବ । ରାଣୀ ପଣ୍ଡା ଏଇଟା ଶିଖାଇଛି, ରାଣୀ ପଣ୍ଡା ଠାରୁ ଏହା ଆରମ୍ଭ ବୋଲି ଯଦି ସମସ୍ତେ କହୁଛନ୍ତି, ତେବେ ସେମାନେ ଏକଥା ଜାଣିବା ଦରକାର ଯେ ରାଣୀ ପଣ୍ଡା ଜଣେ ଭଲ ଆର୍ଟିଷ୍ଟ, ଭଲ ଅଭିନୟ କରିପାରେ, ଭଲ ଗୀତ ପାଇପାରେ, ଭଲ ଆଙ୍କରିଂ କରିପାରେ । ରାଣୀ ପଣ୍ଡା ଗୋଟିଏ ଝିଅ ହିସାବରେ କ’ଣ, ତା’ର ବ୍ୟକ୍ତିତ୍ୱ କ’ଣ ସେମାନେ ତାହା ଜାଣିବା ଦରକାର । ଆଇଟମ୍ ଡ୍ୟାନ୍ସର ଗୋଟେ ସୀମା ରହିବା ଦରକାର । ଅଶ୍ଲୀଳ ନୃତ୍ୟ ଯଦି ଅଧିକ ହେଉଛି ତେବେ ତାହାକୁ ବ୍ୟାନ କରିଦିଆଯାଉ ।