ଆସନ୍ତା ଫେବୃଆରୀରେ ଭାରତ-ଇଂଲଣ୍ଡ ମ୍ୟାଚ: ବାରବାଟୀ ଷ୍ଟାଡିୟମ ପାଇଁ ଟିକେଟ୍ ଦାମ୍ ସ୍ଥିର କଲା OCA

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆସନ୍ତା ଫେବୃଆରୀ ମାସ ୯ ତାରିଖରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ବାରବାଟୀରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ଟିକେଟ ଦାମ୍ ସ୍ଥିର କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) । ଏନେଇ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଅନେକ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହିଥିବା ବେଳେ ଟିକେଟକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ । ଶ୍ରୀ ବେହେରାଙ୍କ ନିର୍ଦ୍ଦେଶ ଅନୁସାରେ କମିଟି ଓ ସବ-କମିଟି ଗଠନ ହେବ । ଷ୍ଟାଡିୟମରେ ମୋଟ ୪୫ ହଜାର ୫୨୪ ଜଣ ଦର୍ଶକ ବସି ଖେଳ ଦେଖିବେ । ତେବେ ଷ୍ଟାଡିୟମରେ ୧ ନମ୍ବର ଗ୍ୟାଲେରୀରେ ଟିକେଟ୍ ଦାମ୍ ୧୨୦୦ ଟଙ୍କା ରଖାଯାଇଛି । ସେହି ୨ ନମ୍ବର ପାଇଁ ୧ ହଜାର, ୩ ନମ୍ବର ପାଇଁ ୧୨ ଶହ, ୪ ନମ୍ବର ପାଇଁ ୧ ହଜାର, ୫ ନମ୍ବର ପାଇଁ ୧୫୦୦, ଛଅ ନମ୍ବର ପାଇଁ ୧୨୦୦, ୭ ନମ୍ବର ପାଇଁ ୮ ଶହ, ସ୍ପେଶାଲ ଏନକ୍ଲୋଜର ପାଇଁ ୭ ହଜାର, ଏସି ଗ୍ୟାଲେରୀ ବକ୍ସ ପାଇଁ ୯ ହଜାର, କର୍ପୋରେଟ ବକ୍ସ ପାଇଁ ୨୦ ହଜାର ଓ ନ୍ୟୁ ପାଭିଲିୟନ ପାଇଁ ୧୦ ହଜାର ଟଙ୍କା ରଖାଯାଇଛି ।